Unknown

 

 

 

 

 

 

 

 

 

 

 

କିଛି ଲୁହ କିଛି ଲହୁ

ପ୍ରସନ୍ନ ପାଟଶାଣୀ

 

 

 

 

 

 

 

 

 

 

 

 

 

ଅନ୍ଧକାରକୁ.........

 

ଆଉ ଏକ ଭୀମଭୋଇ ଆଉ ଏକ ମିଲଟନ୍‌

 

‘‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେବା ସେହୁ,

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।’’

 

ଏହା ହେଉଛି ସେହି ଅସାଧାରଣ ପାଣ୍ଡିତ୍ୟ ସମ୍ପନ୍ନ ମହାଋଷିର ବାଣୀ, ଚରମ ସାଧୁତାର ମୂଳମନ୍ତ୍ର । ଏହା ହେଉଛି ଜଗତକୁ ନିରୀକ୍ଷଣ କରିବାର ପ୍ରୟାସ । ଚରମ ଆଶାବାଦରେ କବି ପ୍ରସନ୍ନ ପାଟଶାଣୀ ନିଜ ଜୀବନର ପ୍ରତିବଦଳରେ ଜଗତର ମଙ୍ଗଳ ବିଧାନ ପାଇଁ ବିଭୁ-କୃପା-ଶ୍ରୟୀ ହୋଇପଡ଼ିଥିବା ପରି ଅନ୍ଧ ଭୀମଭୋଇଟିଏ ଯେପରି ଅବା । ଅଲେଖ ଧର୍ମର ପରିପ୍ରସାର ପାଇଁ ଓଡ଼ିଶାର ଶ୍ରେଷ୍ଠ ଆଦିବାସୀ କବି ଭୀମଭୋଇ ନିଜର ସବୁକିଛି ତ୍ୟାଗ କରିଦେଇଥିଲେ ଏବଂ ଦୀର୍ଘ କୃଚ୍ଛ୍ରସାଧନା ପରେ କେନ୍ଦୁଝର ଜିଲ୍ଲାର କୌଣସି ଏକ ଗିରିଗହ୍ୱର ମଧ୍ୟରେ ଆତ୍ମୋପଲବଧି କରି ପାରିଥିବାର ଜଣାଯାଇଥାଏ ।

 

ସେହିପରି କବି ପ୍ରସନ୍ନ ପାଟଶାଣୀ ଏ ଦୃଷ୍ଟିରୁ ବିଚାର୍ଯ୍ୟ । ଭୀମଭୋଇଙ୍କ ପରି ସେ ମଧ୍ୟ ଚକ୍ଷୁ ହରାଇଥିବା କବି ଜଣେ । କୌଣସି ଏକ ଗୁରୁତର ଜିପ୍‍ ଦୁର୍ଘଟଣାରେ ବିଶେଷଭାବେ ଆହତ ହୋଇ ସେ ନିଜର ଚକ୍ଷୁରେ ଆଘାତ ପ୍ରାପ୍ତ ହୋଇଥିଲେ । ଆଖିକୁ ଦେଖାଯାଉ ନଥିଲେହେଁ କବି ଅନ୍ଧ ଭୀମଭୋଇଙ୍କ ପରି ଅନ୍ତର୍ଦୃଷ୍ଟି ସମ୍ପନ୍ନ ଥିବାରୁ କବିତାର ସ୍ୱର୍ଗୀୟ ରୂପମାଧୁରୀରେ ବିହ୍ୱଳ ହୋଇ ନିଜର ଯନ୍ତ୍ରଣା ଉପଶମ କରିପାରିଥିଲେ । ଉଭୟ ଅନ୍ଧ କବି ଭୀମଭୋଇ ଓ କବି ପ୍ରସନ୍ନ ପାଟଶାଣୀ ଦୈନନ୍ଦିନ ଜୀବନର ପ୍ରଚଳିତ ଲୋକମୁଖର ଭାଷାରେ ସହଜଭାବରେ ସ୍ୱ ରଚନାକୁ ପରିପୁଷ୍ଟ କରିଥିବାରୁ ତାହା ଅବିସ୍ମରଣୀୟ ହୋଇ ରହିଛି । ତେଣୁ ଉଭୟଙ୍କର ରଚନା ସହଜାତ ଶକ୍ତି ଓ ସାବଲୀଳତାର ଏକ ମୂର୍ତ୍ତିମନ୍ତ ବିଗ୍ରହ ବୋଲି ଯେ କେହି ପାଠକ ଉପଲବଧି କରିପାରିବ । ଅନ୍ଧ ଭୀମ ଓ ଅନ୍ଧ ପ୍ରସନ୍ନ ନିଜ ଜୀବନକାଳ ମଧ୍ୟରେ କେତେକ କ୍ଷେତ୍ରରେ ଅତ୍ୟାଚାରିତ ଓ ନିର୍ଯ୍ୟାତିତ ହୋଇଥିବାରୁ ତାଙ୍କରି ଲେଖାରେ ଏହାର କରୁଣ ପ୍ରତିଫଳନ ଲକ୍ଷ୍ୟ କରାଯାଇପାରେ ।

 

ଅପର ପକ୍ଷରେ ମିଲଟନ୍‌ଙ୍କ କବିପ୍ରତିଭା ତଥା ଜୀବନ ସହିତ କବି ଶ୍ରୀ ପାଟଶାଣୀଙ୍କୁ ବିଚାର କରାଯାଉ । ଜୀବନର କେତେକ୍ଷଣ ପରେ କବି ମିଲଟନ୍‌ ମଧ୍ୟ ଅନ୍ଧହୋଇ ଯାଇଥିଲେ । ଅନ୍ଧ ହେଲେହେଁ, ତାଙ୍କର ସୃଷ୍ଟି ଏଯାବତ୍‌ ଆଲୋକରଶ୍ମୀ ବିକିରଣ କରୁଅଛି । ମିଲ୍‌ଟନ୍‌ ୧୬୩୯ରୁ ୧୬୪୯ ପର୍ଯ୍ୟନ୍ତ ତାଙ୍କ ଜୀବନରେ ପ୍ରତ୍ୟୁଷ ଭାବେ ରାଜନୀତିରେ ଅଂଶଗ୍ରହଣ କରିଥିବା ପରି ପ୍ରସନ୍ନ ପାଟଶାଣୀ ୧୯୮୦ ମସିହାର କିଞ୍ଚିତ ପୂର୍ବରୁ ପ୍ରତ୍ୟକ୍ଷଭାବେ ରାଜନୀତିରେ ଯୋଗ ଦେଇ ବିଜୟ ହାସଲ କରିଥିଲେ । ତାଙ୍କ ସୃଷ୍ଟି ମଧ୍ୟରେ ‘‘Paradiselost’’ ହେଉଛି ଏକ ମହନୀୟ ସୃଷ୍ଟି, ଯାହା ୧୬୩୮ରୁ ଆରମ୍ଭ ହୋଇ ୧୬୬୪ରେ ପରିସମାପ୍ତି ଲାଭ କରିଥିଲା । ମିଲଟନ୍‌ଙ୍କ ଜୀବନ ଓ ସୃଷ୍ଟି ମଧ୍ୟରେ ‘‘A History of English Literature’କହେ–English Poetry between the time of Shakespeare and Milton had many gifts and graces, but the quality of greatness is denied it, and it was left for Milton to restore this quality , to our poetry. He is the last word in the English Renascence. Gradually but surely it splendour had been fading away, but in Milton it flames up in to a glorious sunset and like sunset , is touched by a grave and pensive beauty peculiarly its own’’

 

X X X

 

‘‘In addition to his blindness he was a sufferer from–chronic gout ’’

 

ସେହିପରି ଆମର ଚକ୍ଷୁ ହରାଇଥିବା କବି ପ୍ରସନ୍ନ ପାଟଶାଣୀ ଆଧୁନିକ ଓଡ଼ିଆ କାବ୍ୟ–ଯୁଗର ଏକ ଶୁକ୍ର ତାରକା କହିଲେ ଅସମୀଚୀନ ହେବନାହିଁ । କାରଣ ଏକମାତ୍ର ଓଡ଼ିଆ କବି ସେ, ଯିଏ ନିଜର ନୀରବତାର ସ୍ୱରକୁ ସାରା ପୃଥିବୀରେ ପରିବ୍ୟାପ୍ତ କରି ପାରିଛନ୍ତି । ଅନୁଭୂତିରେ ଯେପରି ବିଭିନ୍ନତା, ଅନୁଭବରେ ସେହିପରି ଏକାଗ୍ରତା ତାଙ୍କର ଧ୍ୟେୟ ଅଟେ । ଏଠାରେ ଉଲ୍ଲେଖ କରାଗଲେ ଅପ୍ରାସଙ୍ଗିକ ବୋଧ ହେବନାହିଁ ଯେ ଆମର କବି ଶ୍ରୀ ପାଟଶାଣୀ ଅପେକ୍ଷାକୃତ କମ୍‌ ବମୟରେ ପଦାର୍ପଣ କରି ପ୍ରଚୁର ଖ୍ୟାତି ସହିତ ଅନେକଗୁଡ଼ିଏ କାବ୍ୟ, କବିତା, ଗଳ୍ପ ଓ ଛୋଟ ନାଟକ ଗ୍ରନ୍ଥର ରଚନା କରି ଓଡ଼ିଆ ସାହିତ୍ୟର ଇତିହାସରେ ଚିର ଅମର ହୋଇ ରହିପାରିବେ ନିଶ୍ଚୟ ।

 

ଅନ୍ଧ କବି ଭୀମଭୋଇ, ଇଂରାଜୀ ଜଗତର ମିଲଟନ୍ ଏବଂ କବି ପ୍ରସନ୍ନ ପାଟଶାଣୀ ଏକାଧାରରେ ସମାନତାର ଯୋଗସୂତ୍ର ରକ୍ଷା କରିଥିବା ତିନିଜଣ ସାହିତ୍ୟରଥୀ ଅଟନ୍ତି । Old testament ରେ ହିବ୍ରୁ ଋଷିମାନଙ୍କର ଅଗ୍ନିମୟୀ ଭବିଷ୍ୟତ ବାଣୀ ପ୍ରଦାନପରି ଏ ତିନିଜଣ ସ୍ରଷ୍ଟା ସେମାନଙ୍କର ସୃଷ୍ଟି ମାଧ୍ୟମରେ ହିବ୍ରୁ ଋଷିର ରୂପ ଧାରଣ କରି ମନୁଷ୍ୟ ସଭ୍ୟତାର ଅନିଶ୍ଚିତ ଭବିଷ୍ୟତ ସମ୍ପର୍କରେ ମତ ନିର୍ଦ୍ଧାରଣ କରିଯାଇଛନ୍ତି ।

 

ପ୍ରଭାବିତ ହୋଇଥିଲେ ହେଁ ଇଂରାଜୀ କବି ମିଲଟନ୍‌ ଯେପରି ଇଂରାଜୀ ସାହିତ୍ୟରେ ଏକ ନୂତନ ମୋଡ଼ ପ୍ରବର୍ତ୍ତନ କରିଥିଲେ ସେହିପରି ଆଧୁନିକ ଓଡ଼ିଆ ସାହିତ୍ୟରେ କବି ପ୍ରସନ୍ନ ପାଟଶାଣୀ ଏକ ପ୍ରଚଣ୍ଡ ପ୍ରତିଭା ଭାବେ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଧାରାରେ ରୂପାୟିତ କରିଛନ୍ତି । ଧର୍ମ ଓ ବିପ୍ଳବକୁ ଓଡ଼ିଆ ସାହିତ୍ୟରେ ପ୍ରଥମ କରି ଆରୋପଣ କରି ସେ ଅବଧୂତ ଯୁଗର ପ୍ରଥମ ପ୍ରତିଷ୍ଠାତା ଥିଲେ । ଏତଦ୍‌ବ୍ୟତୀତ ଆଧୁନିକ ଓଡ଼ିଆ କାବ୍ୟ କ୍ଷେତ୍ରରେ, ‘ଆକାର କବିତା’ ସଂକଳନ କ୍ଷେତ୍ରରେ ଏବଂ ଓଡ଼ିଆ ସାହିତ୍ୟରେ ମିନି ପ୍ରବାହ ଧାରାର ପ୍ରଥମ ପ୍ରବର୍ତ୍ତକ ଥିଲେ ତଥା ପ୍ରଥମ ସମ୍ମାନର ଅଧିକାରୀ ଅଟନ୍ତି । ମୁଖ୍ୟତଃ ସେ ଇଂରାଜୀ ଓ ଓଡ଼ିଆ–ଏହି ଦୁଇଟି ଭାଷାରେ ନିଜର ସୃଷ୍ଟିକୁ ସମୃଦ୍ଧ କରିପାରିଛନ୍ତି । ତାଙ୍କର ଓଡ଼ିଆ ସଂକଳନଗୁଡ଼ିକର ନାମ ହେଲା–‘ନିଆଁର ବିନ୍ଦୁ ରକ୍ତ ବୃତ୍ତର ପରିଧି ’, ‘ଲେନିନ୍’, ‘ବାଘ ଆଁ ଭିତରେ ପିକ୍‌ନିକ୍‌’, ‘ରକ୍ତ ପଥ’, ‘ଅଗ୍ନି ଯୁଗ’, ‘ବର୍ଷା’, ‘ସାପଗାତରେ ସକାଳ’, ‘ଆକାର କବିତା’, ‘ଆଖି’, ‘ସାତଲୁହ ତେର ଆକାଶ’, ଏବଂ ଇଂରାଜୀ ସଂକଳନଗୁଡ଼ିକର ନାମ ହେଉଛି The broken soliquy of the sun, Horizon of my Himalayan dawn ଓ “in to the water” ଗର୍ବର ସହିତ ମୁଁ କହିପାରେ ସିମିଳି ଓ ମେଟାଫରକୁ କବି ଶ୍ରୀ ପାଟଶାଣୀ ଯେପରି ସ୍ୱଚ୍ଛ ଓ ସାବଲୀଳ ଭାବେ ସ୍ୱକାବ୍ୟମାନଙ୍କରେ ଉପସ୍ଥାପନା କରିଛନ୍ତି ଓଡ଼ିଆ ସାହିତ୍ୟରେ ପ୍ରାୟ ଅନ୍ୟ କୌଣସି ସ୍ରଷ୍ଟାଙ୍କ ଠାରେ ଏପରି ଲକ୍ଷଣ ଦେଖାଯାଏ ନାହିଁ ।

 

କବି ପ୍ରସନ୍ନ ପାଟଶାଣୀ ଯେତେବେଳେ ଗୁରୁତର ଜିପ୍‌ ଦୁର୍ଘଟଣାରେ ନିଜର ମୂଲ୍ୟବାନ୍‌ ଚକ୍ଷୁ ହରାଇ ବସନ୍ତି, ସେହି ଯନ୍ତ୍ରଣା ଜର୍ଜରିତ ଅବସର ସମୟରେ ସେ କଟକ ବଡ଼ ଡାକ୍ତରଖାନାର ନର୍ସିଂହୋମ୍‌ରେ ସାହିତ୍ୟ ସୃଷ୍ଟି କରିବାକୁ ଲାଗିପଡ଼ନ୍ତି । ନର୍ସିଂହୋମରେ କବି ଏଯାବତ୍ ଅନ୍ୟୁନ ଦଶଖଣ୍ଡ ଗ୍ରନ୍ଥର ପାଣ୍ଡୁଲିପି ପ୍ରସ୍ତୁତ କରିସାରିଲେଣି । ସେଥିମଧ୍ୟରୁ କେତେକ ରୋମାଣ୍ଟିକ୍‌ ଚେତନା ଯୁକ୍ତ, ମୃତ୍ୟୁ ଚେତନା ଯୁକ୍ତ, ଆଧୁନିକ ରୋମାଣ୍ଟିକ୍‌ ଲିରିକ୍, ଜଗନ୍ନାଥ ଚେତନା ଯୁକ୍ତ ଭଜନ ଓ ଜଣାଣ, ମେସେଜାତ୍ମକ, ଯୋଗାଶ୍ରିତ ରଚନା ତଥା ଧର୍ମ ସମ୍ପର୍କୀୟ ଏବଂ କେତେକ ଇଂରାଜୀ କାବ୍ୟ ପ୍ରଧାନ ।

 

କବି ଶ୍ରୀ ପାଟଶାଣୀଙ୍କ ଏହି କାବ୍ୟ ‘‘କିଛି ଲୁହ କିଛି ଲହୁ’ କେତେକ ମେସେଜ୍‌ର ସମାହାରରେ ଲିଖିତ । ଏପରି ନାମକରଣ କରିବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ବୋଧହୁଏ କବି ଆଖି ହରାଇଥିବା ଦୁଃଖର ଝଡ଼ରେ ବିପର୍ଯ୍ୟସ୍ତ ହୋଇ ଅବଦମିତ କୋହର ଆବେଗରେ କିଛି ଲହୁର ସ୍ୱାକ୍ଷର ମେସେଜ୍‌ ରୂପରେ ବାଢ଼ିଛନ୍ତି । ସମଗ୍ର ଆଧୁନିକ ଓଡ଼ିଆ ସାହିତ୍ୟରେ ‘କିଛି ଲୁହ କିଛି ଲହୁ’ ଏକ ନୂତନ ଶୈଳୀର ବାର୍ତ୍ତବହ ମାତ୍ର । ଏପରି ସଂକଳନ ଓଡ଼ିଆ ସାହିତ୍ୟରେ ପ୍ରଥମ ହୋଇଥିବାରୁ କବି ବିଶେଷ ପ୍ରଶଂସାର୍ହ ।

 

ଯଦିଓ ଏହା ଗଦ୍ୟକବିତା ପର୍ଯ୍ୟାୟ ଭୁକ୍ତ ଅଟେ ତଥାପି କବିତା ପର୍ଯ୍ୟାୟଠାରୁ କିଞ୍ଚିତ ଭିନ୍ନ ମନେହୁଏ । ଅନ୍ୟ ପକ୍ଷରେ କହିବାକୁ ଗଲେ କବି ଶ୍ରୀ ପାଟଶାଣୀଙ୍କର ଏହି ନୂତନ ଶୈଳୀକୁ “fully message style” ବା ବାର୍ତ୍ତାତ୍ମକ ଶୈଳୀ ବୋଲି କୁହାଯିବ । ଏଥିରେ କବିଙ୍କର ଦୈନନ୍ଦିନ ଜୀବନର କେତେଗୁଡ଼ିଏ ମେସେଜ୍‌ ରୂପ ପାଇଛନ୍ତି ବିଭିନ୍ନ ଭାବଧାରା ନେଇ, ଯାହା ଆପେକ୍ଷିକ ଭାବାବେଗର ଏକ ଏକ ଜ୍ୱଳନ୍ତ ବିଗ୍ରହ ବୋଲି ଅନାୟାସରେ କୁହାଯାଇପାରେ ।

 

ପୂର୍ବରୁ ଆଖିରେ ପ୍ରକୃତି, ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଆକାଶ, ସୂର୍ଯ୍ୟ, ଜହ୍ନ, ମଳୟ, ଗିରି, ପର୍ବତ ଓ ନଦନଦୀ ଦେଖୁଥିବା କବିଟିଏ ହଠାତ୍‌ ଦର୍ଶନେନ୍ଦ୍ରିୟର ଅଭାବରେ ଆନ୍ତରିକ ଭାବର ବିସ୍ଫୋରଣ କରି ଏପରି ଶୈଳୀରେ ଏ ଗ୍ରନ୍ଥକୁ ରଚନା କରିଛନ୍ତି ।

 

ପ୍ରଥମ ମେସେଜ୍‌ ରେ କବି ଈଶ୍ୱରଙ୍କୁ କହିଛନ୍ତି–ପୃଥିବୀର ସବୁ ଦେଖିପାରୁଥିବା ଲୋକଙ୍କ ଆଖିର ଆଲୋକକୁ ସେ ଦେଖିପାରୁ ନାହାନ୍ତି ସିନା, କିନ୍ତୁ ଅନୁଭବ କରି ପାରୁଛନ୍ତି ସମସ୍ତ ଅନ୍ଧମାନଙ୍କ ଆଖିରେ ଲାଖି ଯାଇଥିବା ଅନ୍ଧକାରକୁ । ତେଣୁ କବି କହନ୍ତି–

 

‘‘ଈଶ୍ୱର !

ତମେ ସେହି ଦିଗନ୍ତରେ ଅଛ,

ଯେଉଁଠାରେ ଆଲୋକର ଶିଖା ନୁହେଁ

ବାଜୁଥାଏ କାନେ ତୁମ ଅନ୍ଧାର ଜଣାଣ

ଏତିକି ମିନତି ପ୍ରଭୁ

ଅନ୍ଧଟିଏ କରି ମତେ

ଭକ୍ତଟିଏ କରି ମୋତେ ରଖ ଚିରଦିନ ।’’

 

କବି ଅନ୍ଧ ହୋଇଯିବା ପରେ ସତେ ଯେପରି ଆଉ ଜଣେ ସାଲବେଗ ସାଜି ଏ ଉତ୍କଳ ଭୂଇଁରେ ଜନ୍ମ ହୋଇଛନ୍ତି । ସେ ପୁଣି ପୃଥିବୀର ସମସ୍ତ ଅନ୍ଧମାନଙ୍କ ଆଖି ଗୋଟିଏ ଦିନ ଖୋଲି ଦେବାପାଇଁ ଓ ଆଖି ଥିବା ଲୋକଙ୍କୁ ଗୋଟିଏ ଦିନ ଅନ୍ଧ କରିଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କବିଙ୍କର ବିଶ୍ୱାସ, ଏହାଦ୍ୱାରା ଉଭୟ ମଣିଷ (ଆଖିଯୁକ୍ତ+ଆଖି ବିଯୁକ୍ତ) ଭଗବାନଙ୍କୁ ଭଲପାଇବା ପାଇଁ ଅନୁଭବ କରିପାରିବେ । କବିଙ୍କର ମେସେଜ୍‌ ମାଧ୍ୟମରେ ଚିତ୍ରକଳ୍ପ ବା Image ରେ ଅନୁଭବ ବୟସ୍କତା ଲକ୍ଷ୍ୟ କରାଯାଇପାରେ–

 

‘‘ଭଲ ହେଇଚି ଈଶ୍ୱର ! ତମେ ମୋତେ

ବାଲ୍ମୀକି ସଜାଇ ଦେଇଛ

ଜଟାରେ ବାନ୍ଧିରଖିଛି ମୁଁ ରାତିକୁ

କପାଳରେ ଝଲସୁଛି ଦିନ

ମୋ କବିତାର ଅକ୍ଷର ସବୁ ଫୁଟୁଛନ୍ତି ତାରା ହୋଇ

ଆକାଶର ନୀଳ ବଗିଚାରେ ତମରି ପାଦରେ

ଫୁଲ ହୋଇ ଲୋଟୁଛନ୍ତି ।’’

 

କବିଙ୍କ ମତରେ ଯେଉଁମାନେ ଧର୍ମପରାୟଣ, ତଥା ସାତ୍ତ୍ୱିକ ବା ମହତ୍‌ଜନକ ସେମାନେ ମଧ୍ୟ ଦଣ୍ଡ ପାଇଥାନ୍ତି । ଯେପରି ଯୋଗୀ ଅରବିନ୍ଦଙ୍କ ଗୋଡ଼ ଭାଙ୍ଗିବା ଜନିତ ଯନ୍ତ୍ରଣା, ରାମକୃଷ୍ଣ ପରମହଂସଙ୍କ କ୍ୟାନସର ଜନିତ ଯନ୍ତ୍ରଣା, ବୁଦ୍ଧଦେବଙ୍କ ବାର୍‌ହାମାଂସ ଭୋଜନ ଜନିତ ଯନ୍ତ୍ରଣା, ଯୀଶୁଖ୍ରୀଷ୍ଟଙ୍କର କ୍ରୁଶବିଦ୍ଧ ଜନିତ ଯନ୍ତ୍ରଣା, ମହାତ୍ମାଗାନ୍ଧୀଙ୍କ ମୃତ୍ୟୁକାଳୀନ ଯନ୍ତ୍ରଣା ଏବଂ ସର୍ବୋପରି ଶ୍ରୀକୃଷ୍ଣଙ୍କର ଜାରାଶବର ଦ୍ୱାରା ଶରାଘାତ ଯନ୍ତ୍ରଣାରେ ଜଗତର ଦୁଃଖକୁ ନିଜେ ଅନୁଭବ କରିପାରିଛନ୍ତି । ଠିକ୍‌ ସେହିପରି କବି ପ୍ରସନ୍ନ ପାଟଶାଣୀ ନିଜ ଚକ୍ଷୁ ହରାଇଥିବା ଯନ୍ତ୍ରଣାରେ ଅନ୍ଧହୋଇ ଅନ୍ୟର ଦୁଃଖ, କଷ୍ଟକୁ ନିଜେ ହୃଦୟଙ୍ଗମ କରି ଏକ ପରମ୍ପରା ରକ୍ଷାକରି ପାରିଛନ୍ତି । କେତେବେଳେ କବି ଦେଖିଛନ୍ତି ଏହି ପାଶବିକତାର ପୃଥିବୀକୁ ତ କେତେବେଳେ ଦେଖୁଛନ୍ତି ଭାରତବର୍ଷର ମହନୀୟ ସୁ-ସଂସ୍କୃତିକୁ ।

 

କବିଙ୍କ ଭାଷାରେ–

 

‘‘ମୋ ଦେହର ପୃଥିବୀ ଭିତରେ

ଆଖିର ଡୋଳା ମୋର ଭାରତର ମାନଚିତ୍ର ।’

 

ଏବଂ–

 

‘ଜରାକୁ କାଖେଇ

ମାଟିର ମା’ମୋର ମୁଁ ଜୀଇ ରହିଥିବି

ଚିରକାଳ ତୋର ଅନ୍ଧାରର ସ୍ତନକୁ ମୁଠେଇ ପିଉଥିବି ଦିବସର କ୍ଷୀର,

ତୋର ଲୁହର ଚାମଚରେ ଦୁଃଖର ଚାଉଳ

ଖୁଣ୍ଟିବ ପାହାନ୍ତି କାଉର ଡେଣାରେ X X X

 

ଭଗବତ ଅନୁଚିନ୍ତନରେ କବି ପୂର୍ଣ୍ଣତଃ ଈଶ୍ୱର ବିଶ୍ୱାସୀ ହୋଇପଡ଼ିଛନ୍ତି । ଈଶ୍ୱରକୁ ଜାଣିବାପାଇଁ କବି ଏକ ନିଭୃତକକ୍ଷରେ ତାଙ୍କର ଦିବ୍ୟଦର୍ଶନ ପାଇବାପାଇଁ ସତେ ଯେପରି ଅନ୍ଧହୋଇ ପଡ଼ିଛନ୍ତି । କେବଳ ଏତିକି ନୁହେଁ ପରନ୍ତୁ ସେ ତାଙ୍କ ଚରଣାରବିନ୍ଦକୁ ପବିତ୍ର ନଦୀଜଳରେ ଧୌତକରି ଜଗତର ଫୁଲଫଳ ଆଦି ତାଙ୍କରି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ଏବଂ ସର୍ବୋପରି ଈଶ୍ୱରଙ୍କୁ ଜାଣିବା ପାଇଁ ଅନ୍ଧ ସାଜିଛନ୍ତି । କବିଙ୍କ ଭାଷାରେ–

 

‘‘ମୁଁ କିନ୍ତୁ ତୋଳିଦେବି ଫୁଟୁଥିବା ଅସଂଖ୍ୟ ଫୁଲକୁ ।

ମୁଁ କିନ୍ତୁ ତୋଳିଦେବି ପୃଥିବୀର ସମସ୍ତ ଫଳକୁ ।

ମୁଁ କିନ୍ତୁ ତୋଳିଦେବି ପୃଥିବୀର ସମସ୍ତ ନଦୀର ଜଳକୁ ।’’

 

ଏବଂ–

 

ଈଶ୍ୱର ! ତମକୁ ମୁଁ ଜାଣିନଥିଲି

ତେଣୁ ଜାଣିବା ପାଇଁ ଅନ୍ଧ ହେଲି

ଦେଖିଲି, ପୃଥିବୀଟା ଏକ ମାଟିର ଦୀପାଳୀ

ତା’ଭିତରେ ଜଳାଉଛି ଜୀବନକୁ ସଳିତା ଭଳି ।’’

 

ଅନ୍ଧାରକୁ ଚିହ୍ନିବାକୁ ଯାଇ କବି ଲୋକମାନଙ୍କ ଭାବନାରେ ଅନ୍ଧକାରର ରୂପ କିପରି ନିର୍ଣ୍ଣୟ କରିବାକୁ ଯାଇ ଅନ୍ଧାର କାହାପାଖରେ ମେଘ, ଓଟ ପିଠିର, କୁଜ ଓ ଛେଳି ପରି ଦୃଶ୍ୟମାନ ହେଉଥିବା ସ୍ଥଳେ କବିଙ୍କ ଦୃଷ୍ଟିରେ ଅନ୍ଧାର କଳାଶାଢ଼ି ପରିହିତା ସୁନ୍ଦରୀ ନାରୀଟିଏ ଯାହାର ହାତରେ ରହିଛି ମୁକ୍ତଜହ୍ନର ତରବାରୀ ।

 

କବିଙ୍କର ସର୍ବୋପରି ଦେଶପ୍ରୀତି ପ୍ରଣିଧାନ ଯୋଗ୍ୟ । ଯେଉଁ ଦେଶର ମାଟି, ପାଣି ଓ ପବନ କବିଙ୍କ ସହିତ ପରମ ଆତ୍ମୀୟତାର ସମ୍ପର୍କ ସ୍ଥାପନା କରିଛି ସେ ତାହାକୁ ଭୁଲନ୍ତେ ବା କିପରି ? ଅନ୍ଧ ପରେ ମଧ୍ୟ ତାକୁ ପୂର୍ବଦୃଶ୍ୟମାନ ଚିତ୍ରକୁ ସ୍ମରଣ କରି ଜଗତର ହିତ ଚାହିଁଛନ୍ତି । କବି ତେଣୁ ଘୋଷଣା କରିଛନ୍ତି–

 

‘‘ଆଖି ନଥିଲାବେଳେ

ଦେଖିନଥିଲି

ଛୋଟ ମୋର ଗାଆଁଟିକୁ,

ଡୋଳା ମୋର ବୁଜିହେଲା ପରେ

ମୁଁ ଆଜି ଦେଖେ ବ୍ରହ୍ମାଣ୍ଡକୁ ।’’

 

ଏବଂ–

 

‘‘ତେଣୁ ଆଜି ମୋର ଦୁଇ ଡୋଳା ଦାନ କଲି ପ୍ରଭୁ

ବନ୍ଦହେଉ ପୃଥିବୀରୁ ଶୋଷଣ ଯାତନା

ସମସ୍ତଙ୍କୁ ଆନନ୍ଦରେ ରଖ

ଏତିକି ମୋ କାମନା ।’’

 

ଶେଷରେ କବିଙ୍କର ଚିତ୍ରକଳ୍ପ ଆରୋପଣରେ ମଧ୍ୟ ଚମତ୍କାରିତା ଦେଖିବାକୁ ମିଳିଥାଏ । ଦୂର ଦୃଷ୍ଟି, ବିବିଧ ଅନୁଭୂତି ଆହରଣକରି ନଥିବା ବ୍ୟକ୍ତି ଏପରି ଚିତ୍ରକଳ୍ପ ଦେଇପାରିବେ ନାହିଁ । ଉଦାହରଣ ସ୍ୱରୂପ- ଲୁହର ସାଗର, ଆକାଶ ପିଠି, ରାତିର-ବିଧା, ସକାଳର ମୁଠା, ଜୀବନ ଖୋଲ, ରାତିର–ବାଦୁଡ଼ି, ଜୀବନ-ଡାଳ, ଦୁଃଖର ହାତୁଡ଼ି, ବିରହ-ପାଖୁଡ଼ା, ଅନ୍ଧାକର-ଦାଢ଼ି, ଆଲୋକ–କ୍ଷୁର, ସ୍ନାୟୁ-ଦଉଡ଼ି, ଜୀବନ–ପଡ଼ିଆ, ଦିବସ–କ୍ଷୀର, ସକାଳ–ପଘା, ସଞ୍ଜ-ସାପ, ନିଃଶ୍ୱାସ-ନଦୀ, ପବନ-ଖଞ୍ଜଣୀ, ଦେହ-ଲଣ୍ଠନ, ଲୁହ-ସମୁଦ୍ର, ବେଦନା-ପାଲ, ଧଳାଜାମା ପିନ୍ଧା ଜହ୍ନ ଡାକ୍ତର, କଇଁ-ଜଙ୍ଘ, ଲୁହ–ଫ୍ରିଜ୍‌ ଇତ୍ୟାଦି ।

 

ସର୍ବୋପରି ‘କିଛି ଲୁହ କିଛି ଲହୁ’ କବି ପ୍ରସନ୍ନ ପାଟଶାଣୀଙ୍କର ଅନ୍ଧ ଆଖିର ନୀରବତାର ଏକ ସ୍ୱରଲିପିକୁ ବହନ କରିଅଛି । ଆଧୁନିକ ଓଡ଼ିଆ କାବ୍ୟ ଜଗତରେ ଏ ଗ୍ରନ୍ଥ ବିସ୍ମୟ ପରି ଏହାର (“fully message style”) ବାର୍ତ୍ତାତ୍ମକ ଶୈଳୀ ମଧ୍ୟ ପ୍ରଣିଧାନ ଯୋଗ୍ୟ । ଏଣୁ ମୋର ଦୃଢ଼ବିଶ୍ୱାସ କବି ପ୍ରସନ୍ନ ପାଟଶାଣୀଙ୍କର ‘କିଛି ଲୁହ କିଛି ଲହୁ’ ଓଡ଼ିଶାର ସଚେତନ ପାଠକ ଗୋଷ୍ଠୀଙ୍କ ମଧ୍ୟରେ ଅକ୍ଷୁର୍ଣ୍ଣତା ବଜାୟ ରଖି ନିଶ୍ଚିତରୂପେ ଆଦୃତଲାଭ କରିବ । ଏହାହିଁ ମୋର କାମନା ।

 

ଅଗଷ୍ଟ ୧୫, ୧୯୮୪

 

ପବିତ୍ର ସ୍ୱାଧୀନତା ଦିବସ

ଶ୍ରୀ ଗଦାଧର ମିଶ୍ର

☆☆☆

 

ପଦେକଥା

 

ଜନ୍ମାନ୍ଧ ହୋଇଥିଲେ ଭଲ ହୋଇଥାନ୍ତା । ଏଇ ପୃଥିବୀ, ଫୁଲ, ଫଳ, ଆକାଶ, ନଈ, ପର୍ବତ ଓ ନାରୀକୁ ଜନ୍ମରୁ ଦେଖିପାରି ନଥିଲେ କିଛି ଚିନ୍ତା କରିବାର ନଥିଲା । କିନ୍ତୁ ଅଭିଜ୍ଞତା ସର୍ବସ୍ୱ ଏଇ ପୃଥିବୀରେ ଜୀବନର ସବୁ ସୌନ୍ଦର୍ଯ୍ୟ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଭିତରେ ଦେଖିଆସିଥିବା ଅନନ୍ତ ଆକାଶର ରୂପ ପିଲାଟି ଦିନରୁ ମତେ ବିଭୋର ପାଗଳ କରି ଦେଇଆସିଛି-। ହଠାତ୍‌ ଦୁର୍ଘଟଣାରେ ପଡ଼ି ମୁଁ ସମ୍ପୂର୍ଣ୍ଣ ଅନ୍ଧ ହୋଇଗଲା ପରେ ଏବଂ ଡୋଳା ଖୋଲିବାର ଅନିଶ୍ଚିତ ଅନ୍ଧକାର ଭିତରେ ରହି ମୋର ଅନୁଭବକୁ ଫୁଟେଇଚି ଆଲୋକ ପଢ଼ିବା ପାଇଁ-। ଆଲୋକର ଆଖି ଅଛି, ସେ ପଢ଼ିବ ମୋର ଅନ୍ଧକାରରେ ରଚିତ ଲୁହର ଅକ୍ଷର ଭିତରେ ବେଦନାର କବିତାକୁ । ଆଖି ଥିଲାବେଳେ ଏ ପୃଥିବୀକୁ ମୁଁ ଯେମିତି ଦେଖିଥିଲି ତାହାକୁ ଅନୁଭବ କରୁଛି ହୃଦୟରେ । ଏଇ ଅନୁଭବ କରିବାପାଇଁ ମତେ ଦଣ୍ଡ ମିଳୁଛି । ଆଖିଥାଇ ଜଗନ୍ନାଥଙ୍କୁ ଦେଖି ପାରିନଥିଲି । ଏବେ ହୃଦୟର ବୃନ୍ଦାବନରେ ସେହି ଚକାଡ଼ୋଳାକୁ ଦେଖୁଛି, ଆବେଗରେ, ଭକ୍ତିରେ-। ମୋର ଲୁହରେ ଗାଧୋଇ କେତେ ପରିଚ୍ଛନ୍ନ ଦିଶୁଛି ଈଶ୍ୱରଙ୍କ ଦେହ ଓ ନାରୀର ବିଦେହ-। ଚିର ଅନ୍ଧକାର ଭିତରେ ଦୁଃଖର ନାଆରେ ବସି ବେଦନାକୁ ଆହୁଲା କରିଛି । ଶବ୍ଦ ସବୁ ଖଞ୍ଜଣି ହୋଇ ଖଞ୍ଜି ହୋଇ ଯାଇଛନ୍ତି ଦୁଃଖର ଜଣାଣ ଭିତରେ । ଧୈର୍ଯ୍ୟର ନଉକା ବାହି ମୁଁ ଚାଲିଛି ଅନନ୍ତ ଅନ୍ଧାରର ସଚିତ୍ର ସମୁଦ୍ର ଭିତରେ । ସବୁ ଦିଗ ସମାନ୍ତର, ସବୁ ରେଖା ଢେଉ । ପୃଥିବୀର ସମସ୍ତ ପକ୍ଷୀମାନଙ୍କର କଣ୍ଠସ୍ୱର ସହିତ ନିଜକୁ ପରିଚିତ କରାଇ ଡାଳକୁ ଡାଳ ଡେଇଁ ବସୁଚି ଆତ୍ମାପକ୍ଷୀ ମୋର । ସେଇ ଅନୁରାଗରୁ ଏଇ ରସାଣିତ କବିତା ପୁସ୍ତକ ସୃଷ୍ଟି ହୋଇଛି । ଏହା ପୁନଶ୍ଚ କବିତା ନୁହେଁ କି କାହାଣୀ ନୁହେଁ, ଗୋଟିଏ ଅନ୍ଧ ଆଖିତଳେ ଲୁଚି ରହିଥିବା କେତେକ କରୁଣ ବାର୍ତ୍ତାମାତ୍ର-

 

ହଠାତ୍‌ କେହି ଅନ୍ଧ ହେଲେ ତା’ ଜୀବନରେ ଏ ଗ୍ରନ୍ଥଟି ଆଉ ଏକ ଗୀତା ହୋଇଯିବ । ସେଇ ଅନ୍ଧମାନଙ୍କୁ ପଢ଼େଇ ଶୁଣେଇବେ ଆଖିଥିବା ଲୋକମାନେ । ଆଖିଥିବା ଲୋକମାନେ ଯଦି ଏହାକୁ ଅନୁଭବ ନ କରିବେ , ସେମାନେ ବି ଆଖିଥାଇ ହେବେ ଅନ୍ଧ ।

 

ଶେଷରେ ପ୍ରତିଦିନ ସକାଳେ ଧ୍ୟାନରୁ ଉଠି ମୁଁ ଯେଉଁ ବାର୍ତ୍ତାଡ଼ାକେ ତାକୁ ଆଗ୍ରହ ସହକାରେ ଲେଖିବାକୁ ସାହାଯ୍ୟ କରନ୍ତି କବି ସୁରେଶ ପରିଡ଼ା, ଅଧ୍ୟାପକ ଭଗବାନ ଜୟସିଂହ, କବି ଓ ସମାଲୋଚକ ଗଦାଧର ମିଶ୍ର । ମୋ ଅନ୍ଧ ଜୀବନରେ ଏ ସାହିତ୍ୟିକ ବନ୍ଧୁମାନେ ସ୍ମରଣୀୟ ହୋଇ ରହିବେ । ଏ ଗ୍ରନ୍ଥପାଇଁ ତରୁଣୀ ସମାଲୋଚକ ଏକ ମହନୀୟ କରୁଣ ମୁଖବନ୍ଧଟିଏ ଲେଖି ମୋତେ କରୁଣାର ଅସୀମ ବଳୟ ଆଡ଼କୁ ନେଇ ଯାଇଥିବାରୁ ମୁଁ କୃତାର୍ଥ ଏବଂ କାନ୍ଥରେ ମୋରି ସ୍ୱାକ୍ଷର ଥିବା ସମସ୍ତ ବାର୍ତ୍ତଗୁଡ଼ିକ ପଢ଼ି ଯିଏ ଅତି ଆନନ୍ଦର ସହିତ ପ୍ରକାଶ କରିବାପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ସିଏ ହେଲେ ଅତି ଅମାୟିକ ମୋର ପ୍ରକାଶକ ଶ୍ରୀ ରାଧାଶ୍ୟାମ ମହାନ୍ତି ।

 

ପ୍ରସନ୍ନ ପାଟଶାଣୀ

☆☆☆

 

।। ଏକ ।।

 

ଦେଖି ପାରୁଥିବା ଲୋକମାନଙ୍କ ଆଖିର ଆଲୋକ

ମୁଁ ସିନା ଦେଖି ପାରୁନାହିଁ

ମୋ ସାମ୍ନାରେ ନାଚିଯାଉଛି କିନ୍ତୁ

ଅନ୍ଧମାନଙ୍କର ଆଖିର ଅନ୍ଧାର;

ଅନ୍ଧ ମୁଁ ହୋଇ ନଥିଲେ

ଜାଣିପାରି ନଥାନ୍ତି ବେଦନା

ପୃଥିବୀର ସବୁ ଅନ୍ଧକାର !

 

ଈଶ୍ୱର !

ତମେ ସେହି ଦିଗନ୍ତରେ ଅଛ

ଯେଉଁଠାରେ ଆଲୋକର ଶିଖା ନୁହେଁ

ବାଜୁଥାଏ କାନେ ତୁମ ଅନ୍ଧର ଜଣାଣ,

ଏତିକି ମିନତି ପ୍ରଭୁ

ଅନ୍ଧଟିଏ କରି ମୋତେ,

ଭକ୍ତଟିଏ କରି ମୋତେ ରଖ ଚିରଦିନ !

☆☆☆

 

।। ଦୁଇ ।।

 

ପୃଥିବୀର ସମସ୍ତ ଅନ୍ଧମାନଙ୍କର

ଆଖି ଖୋଲିଦିଅ ।

ଓ ଆଖି ଖୋଲିଥିବା

ସମସ୍ତ ମଣିଷମାନଙ୍କୁ ଦିନୁଟିଏ

ପାଇଁ ଅନ୍ଧ କରିଦିଅ

ଦେଖିବ ପ୍ରଭୁ ତୁମକୁ ଏ

ମଣିଷ କେମିତି ଭଲ

ପାଉଛି !!

☆☆☆

 

।। ତିନି ।।

 

ଖୁଣୀକୁ ଜାମିନ୍‌ ମିଳେ

ଅନ୍ଧକୁ କିଆଁ ମିଳେନା ଆଲୋକ ?

ଜହ୍ଲାଦକୁ ଛୁରୀ ମିଳେ

ଆଲୋକକୁ ମିଳେ ବି ପତଙ୍ଗ

ଯମକୁ ମିଳଇ ଜୀବ

ମୋତେ କିଆଁ ମିଳେ ନାହିଁ ଡୋଳା

ବିତିଗଲାଣି କେତେ ଆହା

ଅନ୍ଧାରର ଋତୁ !!

☆☆☆

 

।। ଚାରି ।।

 

ସାରା ଭୁବନର ଈଶ୍ୱରମାନେ ଥିବାରୁ

ତୋ’ର ନାମ ଭୁବନେଶ୍ୱର,

ସାରା ଗୋଲାମମାନେ ଥିବାରୁ

ତୋ’ର ନାମ ଗୋଲାମ ନଗର

ତତେ ମୁଁ ସଲାମ୍‌ ମାରି ମାରି

ଆୟୁଷ ସାରିଦେଲା ବେଳକୁ

ଅନ୍ଧ ହେଇଗଲି ! ଭଲ ହେଲା !!

 

ଆଖିରେ ପଡ଼ୁଛି ମୋର ଆଖିଥିବା ଲୋକଙ୍କର

ଦରବାର ଛାଇ, ମଫସଲ ମଳିମୁଣ୍ଡିଆ ମଣିଷର

କୁଢ଼ କୁଢ଼ ଦରଖାସ୍ତ ଅଚେତ୍‌ ସେ ଦରବାରରେ

ଦୁର୍ନୀତିର ଉଈ ଚରି ଯାଉଛନ୍ତି ସବୁ

ତା’ରି ଭିତରେ ହୁଙ୍କାଟିଏ ଯା’ର ନାମ ସଚିବାଳୟ !

 

ଭଲ ହେଇଛି ଈଶ୍ୱର ! ତମେ ମୋତେ

ବାଲ୍ମୀକି ସଜାଇ ଦେଇଛ

ଜଟାରେ ବାନ୍ଧି ରଖିଛି ମୁଁ ରାତିକୁ

କପାଳରେ ଝଲସୁଛି ଦିନ

ମୋ କବିତାର ଅକ୍ଷର ସବୁ ଫୁଟୁଛନ୍ତି ତାରା ହୋଇ

ଆକାଶର ନୀଳ ବଗିଚାରେ–ତମରି ପାଦରେ

ଫୁଲ ହୋଇ ଲୋଟୁଛନ୍ତି ।।

 

ଗଛରୁ ପତ୍ର ଖସିଲା ଭଳି ଖସିପଡ଼ୁଛନ୍ତି

ପ୍ରତିଦିନ ସିଂହାସନରୁ ମଣିଷଗୁଡ଼ାକ

ହଠାତ୍‌ ଅନ୍ଧ ହେଲାପରେ ଦେଖିଲି

ସେ ସିଂହାସନରେ କେବଳ ବସିଛି ଈଶ୍ୱର

ଯା’ର ନାମ ଭୁବନେଶ୍ୱର ।

☆☆☆

 

।। ପାଞ୍ଚ ।।

 

ଚୋର କେତେବେଳେ ଚୋରି କରିବାକୁ ଯାଏ ?

ଗଭୀର ନିଶାର୍ଦ୍ଧରେ ତା’ ପାଦରେ ଫୁଟେନା ତ କଣ୍ଟା,

କାଚ ଟୁକୁରା ତ ଯାଏ ନାହିଁ ଗଳି ?

ସାପ ବି କରେନା ଦଂଶନ !

ସେ ଚୋରିକରି ଖସିଯାଏ ନିର୍ବିଘ୍ନରେ ।

 

ଚୋରି ବା ନ କରୁଛି କିଏ ?

ଯିଏ ଧରାପଡ଼େ ସିଏ ହୁଏ ଚୋର ।

ପ୍ରେମ ବା ନ କରୁଛି କିଏ ?

ଯିଏ ଧରାପଡ଼େ ସିଏ ହୁଏ ଚରିତ୍ରହୀନ ।

 

ସତୀତ୍ୱ ହରାଉନି କିଏ ?

ଯିଏ ଧରାପଡ଼େ ସିଏ ହୁଏ ବେଶ୍ୟା,

ରାଜନୀତି ନ କରୁଛି କିଏ ?

ଯିଏ ଧରାପଡ଼େ ସିଏ ହୁଏ ମନ୍ତ୍ରୀ ।

 

ଠିକ୍‌ ସେଇମିତି ଈଶ୍ୱର ଏତେ ଅଦ୍‌ଭୁତ କାଣ୍ଡ

କରିବସନ୍ତି ଯେ ତାଙ୍କ ଉଦାରତାର ଆଖିଦେଇ

ଖସିଯାଆନ୍ତି ପାପୀମାନେ, ଧରାପଡ଼ି ଦଣ୍ଡ ପାଆନ୍ତି

କେବଳ ପୁଣ୍ୟାତ୍ମାମାନେ, ପୁଣ୍ୟାତ୍ମାମାନେ ।

 

ମୁଁ ସେଇଭଳି ଦଣ୍ଡିତ,

ପାପୀଟିଏ ନୁହେଁ ପୁଣ୍ୟାତ୍ମା ମଣିଷଟିଏ

ଆଖି ହରାଇ ଈଶ୍ୱରଙ୍କୁ ପାଇଛି

ପାଜୀ ବଦ୍‌ମାସ୍‌ଗୁଡ଼ାକ ଖସିଗଲା ଭଳି

ଈଶ୍ୱରଙ୍କ ଆଖିରୁ !

☆☆☆

 

।। ଛଅ ।।

 

ନନ୍ଦନକାନନ ଦେଖିଛ ?

ଆଖି ଥିଲାବେଳେ ଦେଖିଥିଲି

ଏବେ ଦେଖୁଛି ଅନ୍ଧକାରର ନନ୍ଦନ ଭିତରେ

କାନନ ହୋଇଯାଇଛି ମୋର ଆଖି

ମେଘମାନେ ହାତୀଭଳି ଚାଲିଛନ୍ତି

ବିଜୁଳିର ଶିକୁଳିର ବନ୍ଧା ତା’ର ପାଦ

ବାଘର ଗର୍ଜନ ହୋଇଯାଇଛି ଘଡ଼ଘଡ଼ି

ସିଂହର ପାଟିରେ ଶବ୍‌ଦର ଚଡ଼ଚଡ଼ି

ଧଳା ଠେକୁଆର ଜହ୍ନ ଭିତରୁ କଳଙ୍କ କଳାରାତ୍ରିର ଭାଲୁ

ଘୁଙ୍ଗୁଡ଼ି ମାରୁଛି ପାହାଡ଼ର ଚଟାଣ ଉପରେ ।

 

ପବନ ହେଇଛି ସାପର ଫୁତ୍‌କାର

ଅହଙ୍କାର ସାଜିଛି ଗରଳ

ତା’ ଭିତରେ ଅଣନିଃଶ୍ୱାସୀ ପୃଥିବୀର ସମସ୍ତ ମଣିଷ

ପଶୁ ମାରି ମାରି, ଜଙ୍ଗଲ ସଫା କରି କରି ହାଲିଆ

ସେଇ ପଶୁର ଆତ୍ମାଗୁଡ଼ିକ ପଶି ଯାଇଛନ୍ତି ମଣିଷ ଘଟରେ

ମଣିଷର ଆଜି ଆଉ ଏକ ଚେହେରା

ପଶୁର ଚେହେରାଠାରୁ କିନ୍ତୁ ସୁନ୍ଦର ନୁହେଁ ।

 

ତମେ ଅନ୍ଧହେଲେ ଜାଣିବ

ଜୀବନର ନନ୍ଦନକାନନ ଭିତରେ କିପରି

ଈଶ୍ୱର ଫୁଲ ହୋଇ ଫୁଟନ୍ତି

ଆଜି ଅନ୍ଧ ହେବାରୁ ସିନା ନନ୍ଦନକାନନ ଘୁରୁଛି

ଏବଂ ଦେଖୁଛି ସମଗ୍ର ପୃଥିବୀଟା ମଣିଷର ନୁହେଁ

ପଶୁର-ପାଶବିକତାର !!

☆☆☆

 

।। ସାତ ।।

 

ଦେଖିଲି ହଠାତ୍‌ ଅନ୍ଧକାରଟା ବୁଢ଼ୀ

ଜହ୍ନ ତା’ର ଝୋଟ ଧଳା ବାଳରେ ସଫେଦ୍‌ କଇଁଫୁଲ

ଦୋହଲି ଉଠେ ଲୁହର ପୋଖରୀ

ସୂର୍ଯ୍ୟର ଅସହ୍ୟ ଉତ୍ତାପରେ ଅତିଷ୍ଠ କବିଟି

ନିଶୂନ୍‌ ଅନ୍ଧକାରର ପୋଖରୀରେ ଡୁବ ମାରିଲା

ବେଳେ ଦେଖିଲା, ପଙ୍କରେ ପୋତି ହୋଇ

ରହିଥିବା ଯନ୍ତ୍ରଣାର ମାଛମାନେ ପିନ୍ଧିଛନ୍ତି

ତା’ର ଦୁଇ ଡୋଳା ।

 

କବି ହେଇଗଲା ଗୋଟାଏ କେଉଟ

ସାହସର ହୁଲି ଡଙ୍ଗା ଚଢ଼ି

ହାତର ଆହୁଲାରେ ସେ ଓଲଟାଇ ଦେଲା

ପ୍ରଣୟର ପଙ୍କକୁ ଏବଂ ଦେଖିଲା

କେବଳ ମାଛ ନୁହେଁ ପାତାଳ ଭିତରେ

ପୋତି ହୋଇ ରହିଛି ସୂର୍ଯ୍ୟ !

 

ଆଖିର ପଦ୍ମ ପାଖୁଡ଼ାରେ ତା’କୁ ଉଠାଇଲା କବି

ସୂର୍ଯ୍ୟ ଲାଜରେ ଆଖିନଇଁ ଉତ୍ତର ଦେଲା

ମୋର ମୁହଁ ପୋଡ଼ିଯାଇଛି ପ୍ରସନ୍ନ

ପୋଡ଼ାମୁହଁକୁ ତୋ’ର ଆଖିର ଦର୍ପଣରେ

ଦେଖିବାର ଇଚ୍ଛା ନାହିଁ ।

ମୁଁ ହସିଲି, କାରଣ ଦର୍ପଣଟା ମୋ

ହୃଦୟ ଭିତରେ ଝୁଲୁଥିଲା–ଆଖି ତ ନ ଥିଲା ।

 

ଗର୍ବିତ କଣ୍ଠରେ ମୁଁ ଉଚ୍ଚାରଣ କଲି !

ତୋ’ର ସାହସ ନାହିଁରେ ସୂର୍ଯ୍ୟ

ମୋର ଛାତି ଭିତରେ ଝୁଲୁଥିବା

ସେଇ ଚିରନ୍ତନ ଆତ୍ମାର ଦର୍ପଣରେ

ତୁ ମୁହଁ ଦେଖିପାରିବୁ !!

☆☆☆

 

।। ଆଠ ।।

 

ଜନ୍ମାନ୍ଧ ହୋଇ ଜନ୍ମ ହୋଇଥିଲେ

ଖୁବ୍‌ ଭଲ ହୋଇଥାନ୍ତା !

ସିଏ ଫୁଲ କ’ଣ ଦେଖି ନଥାନ୍ତା

ପ୍ରଜାପତିର ରଙ୍ଗ ଓ ଡେଣା ଝାଡ଼ିବାର

ଦୃଶ୍ୟ ଦେଖି ନଥାନ୍ତା

ସୁନ୍ଦରୀ ପ୍ରେମିକାର ମୁହଁଟି କେମିତି ଜାଣି ନଥାନ୍ତା

ନଦୀ କିପରି କଳକଳ ଧ୍ୱନି କରେ ଜାଣି ନଥାନ୍ତା

ଆକାଶରେ କିପରି ମେଘ ଦୋଳି ଖେଳେ

ସମୁଦ୍ର କିଭଳି ତଟଦେଶରେ ମଥାପିଟେ ଦେଖି ନଥାନ୍ତା

ଜନ୍ମାନ୍ଧ ହୋଇଥିଲେ ଖୁବ୍‌ ଭଲ ହୋଇଥାନ୍ତା !

ଜନ୍ମରୁ ଆଖି ଦେଇକରି ହଠାତ୍‌ ଅନ୍ଧ କରିଦେବାର

କେଉଁ ବିଚିତ୍ର ପରିକଳ୍ପନା ତୁମର ହେ ଈଶ୍ୱର !

ତମକୁ କିଏ ଶିଖାଇଲା ଜହ୍ଲାଦ ହେବାକୁ?

ଦେଖ, ଅନ୍ଧକାର ଆଜି ତମ ପାପୁଲିରେ ଠିଆ ହୋଇ

ନାଡ଼ି ଚିପୁଛି–ରେଖା ଗଣୁଛି

ଅନ୍ଧାର ଆଜି ଠିଆହୋଇ ତମ ନୟନସାଗର ତୀରେ

ଢେଉ ଗଣୁଛି ଅଶ୍ରୁର

ଅନ୍ଧାର ଆଜି ସମଗ୍ର ବ୍ରହ୍ମାଣ୍ଡ ଆଚ୍ଛନ୍ନ କରିଛି ।

 

ଆଲୋକର ବ୍ରହ୍ମଟିଏ ପୋତି ଦେଇଛ ତମେ

ମୋର ଦେହର କିଆରି ଭିତରେ

ସେ ବୀଜ ହୋଇ ଫୁଟିଛି

ସେଇ ବୀଜର ବାସ୍ନାରେ ଚହଟି ଉଠୁଛି ଦିଗନ୍ତ ।

ନିଶୂନ୍‌ ଅନ୍ଧକାର ଭିତରେ ମୁଁ ଚିପିଦେଲି

ଆଲୋକର ବ୍ରହ୍ମକୁ, ତାହା ପାଲଟିଗଲା

ରକ୍ତର ପିଣ୍ଡୁଳାଟିଏ । ସେଇ ପିଣ୍ଡୁଳା ଭିତରେ

ପୋତି ହୋଇ ରହିଥିବା ମୋର ଆଖିକୁ

ତୁମେ ସୁରକ୍ଷିତ କରି ରଖିଛ ନା ?

ସେଇଥିପାଇଁ ବୋଧହୁଏ ମୋତେ

ଯିବାକୁ ପଡ଼ୁଛି ଉତ୍କଳରୁ ଭିଏନା ।

☆☆☆

 

।। ନଅ ।।

 

ଆଖି ଥିଲାବେଳେ

ଦେଖି ନଥିଲି ଛୋଟ ମୋର ଗାଆଁଟିକୁ

ଡୋଳା ମୋର ବୁଜି ହେଲା ପରେ

ମୁଁ ଆଜି ଦେଖେ ବ୍ରହ୍ମାଣ୍ଡକୁ ।

ମନ ହେଇଯାଇଚି ମୋର ଭକ୍ତି

ତା’ଭିତରେ ତୁମେ ପୋତି ହୋଇ ପଡ଼ିଚ ଈଶ୍ୱର

ଆଲୋକ ଦେଖାଏ ତା’ର ଲୋଭନୀୟ

ସୁନାର ପାପୁଲି ତୁମକୁ ଉଠାଇବାକୁ

ତା’ କଥାରେ ପଡ଼ନା ଈଶ୍ୱର ।

☆☆☆

 

।। ଦଶ ।।

 

ବେଶ୍ୟାର ଘରେ ତାରୁଣ୍ୟ ହଜିଯାଏ,

ତା’ ପବିତ୍ର ମାଟିରେ ପୂଜା ହୁଏ

ପିଙ୍ଗଳ ରାତିରେ ଚେହେରା ଭିତରେ

ପିଙ୍ଗଳାର ଆଖିକୁ ପୂଜା କରେ

କାମନାର ଲୁହ ।

 

ଅନ୍ଧ ହେଲେ ଜାଣିବ ସେମିତି ବେଦନା

ମାଟି କେବେ ବେଶ୍ୟା ନୋହେ

ବେଶ୍ୟା କେବେ ବନ୍ଧ୍ୟା ନୋହେ

ବନ୍ଧ୍ୟା କେବେ ସନ୍ଧ୍ୟା ନୋହେ

ଅନ୍ଧଆଖି ଈଶ୍ୱରଙ୍କୁ ଭଲପାଏ

ତୁ ବାର ବାର ଆସି ବଦଳାଇ ଯା’ରେ ।

ଆତ୍ମା ପରମାତ୍ମା ।

ମୁଁ କିନ୍ତୁ ଲେଖୁଥିବି ଅନ୍ଧ ଇତିହାସ ।

☆☆☆

 

।। ଏଗାର ।।

 

ତମେ ଦେଖିନାହଁ ଦେହର ବ୍ରହ୍ମାଣ୍ଡରେ

ପୃଥିବୀର ଡୋଳା,

ଇତିହାସ ଭିତରେ ଭୂଗୋଳ ପରେ

ଚିରକାଳ ତା’ର ଥର ଥର ଆଖି ପତା

ସକାଳ ଓ ସଞ୍ଜ

ସୁଖ ଓ ଦୁଃଖ

ଅନ୍ଧହେଲେ ଜାଣିପାରନ୍ତ

ତା’ ବିବିଧ ରୂପ

ବେଦନାର ରଙ୍ଗରେ କିପରି ଜର୍ଜରିତ ।

☆☆☆

 

।। ବାର ।।

 

ତୁମେ କେବେ ଆଖିବୁଜି ଦେଖିଛ କି

ତୁମର ହୃଦୟ ଭିତର ।

ସେଠାର କଳାରାତିର କଲିଜା କାନ୍ଥରେ

ଦର୍ପଣ ଗୋଟିଏ ଝୁଲେ

ସେ ଦର୍ପଣରେ ମୁହଁ ଦେଖନ୍ତି ଈଶ୍ୱର ।

ମୋ ନିଦର ସେ ମୁହଁ

ଭକ୍ତିର ଲୁହରେ ଗାଧୋଉଛନ୍ତି ଈଶ୍ୱର

ମନର ପାହାଚରେ ପାଦ ଦୁଇଟି ତାଙ୍କର କି ନିର୍ମଳ ଦିଶୁଚି

ମୋର ଦୁଇ ଡୋଳାକୁ କଠଉ କରି

ମୁଁ ଈଶ୍ୱରଙ୍କ ପାଦରେ ପିନ୍ଧାଇ ଦେଇଚି ।

☆☆☆

 

।। ତେର ।।

 

ସକାଳଟା ଆଜି ଶାଗୁଆ ହୋଇ ଆସିଛି

ମୋର ଅନ୍ଧକାର ଦେଇ ଖୁମ୍ପିବାକୁ ।

ଆଖି ଦୁଇଟି ମଲା ପାହାନ୍ତିର ତାରା ପାଲଟିଛି

ମାଟିର ଅପରେସନ୍‌ ଟେବୁଲ ଉପରେ

ଶୁଆଇ ଦିଆଯାଇଛି ତାକୁ

ଆଲୋକର ଧଳା ଆପ୍ରୋନ୍‌ରେ

ସୂର୍ଯ୍ୟର ଛୁରୀଧରି

ଦିନ ହୋଇଛି ଡାକ୍ତର

ଯେତେ କାଟିଲେ ବି ଡୋଳାର ପୃଥିବୀ

ହୁଏ ନାହିଁ ଟଳମଳ ।

 

ରକ୍ତ ଜର ଜର ପୃଥିବୀଟିଏ ଖଞ୍ଜିଦେଇଛି

ଜଗନ୍ନାଥଙ୍କ ଆଖି ଫୁଟିଯାଇଥିବା ଡୋଳାରେ ।

ଅନ୍ଧକାରଟିଏ ହୋଇ ଚିରଦିନ ପୋତିହୋଇ

ରହିବାକୁ ଚାହେଁ ସେହି କାଳିଆ ଆଖିରେ ।

☆☆☆

 

।। ଚଉଦ ।।

 

ଅନ୍ଧ ପୁଟୁଳି ବାନ୍ଧିଦେଇ

ମତେ କହିଲ ଲୁଚକାଳି ଖେଳିବାକୁ

ଖେଳୁ ଖେଳୁ ମୁଁ କୁଣ୍ଢାଇ ପକାଇଲି ଅନ୍ଧାରକୁ ।

ନା ସେ ଛାଡ଼ୁଚି ମତେ

ନା ମୁଁ ଛାଡ଼ୁଚି ତାହାକୁ ।

 

ତୁମର କପଟ ଆଚରଣ

ଧରା ପଡ଼ିଗଲା, ଆଲୋକ !

ଖୋଲି ଦିଅ ତୁମର ଅନ୍ଧ ପୁଟୁଳି

ତୁମେ ବି ଧରା ପଡ଼ିଯିବ ।

ଲେଉଟି ପଡ଼ୁଚି ପୃଥିବୀର ଛାଇ

ମୁର୍ ଦେଖୁଚି ପିଲାଦିନ ଭଙ୍ଗା ଚାଳ ତଳେ

ଅଣ ଲେଉଟା ବେଳ ଯେମିତି ଲେଉଟେ

ପକ୍ଷୀର କାକଳୀ ଭିତରେ ।

 

ପୃଥିବୀର ସବୁ ସତ୍ୟ ଭିତରେ

ଫୁଟି ଯାଉଥିବା ତୋହର ଚେହେରା

ଆଉ ପାଗଳ କରି ପାରୁନି ମତେ ।

ମୁଁ ଅନ୍ଧ ଦେଖୁଚି ଧରଣୀ

ଅନ୍ଧୁଣୀ ଆକାଶ କେମିତି ଚୁଚୁମୁଚି

ମୋ ବେଦନାର ଆଙ୍ଗୁଳି, କହୁଣୀ ।

 

ରେ ଜନ୍ମାନ୍ଧ, ଆଲୋକ ଯଦି

ନ ଦେଖିଚୁ, ଭଲ କରିଚୁ

ତା’ର ବିବର୍ଣ୍ଣ ଚେହେରା ଦେଖିଥିଲେ

ତତେ ବିରକ୍ତ ଲାଗିଥାନ୍ତା ।

ଆଖି ଥିଲାବେଳେ

ଆଲୋକକୁ ଭଲ ପାଉଥିଲି । ଅନ୍ଧ ହେଲା ପରେ

ଅନ୍ଧାରକୁ ଭଲ ପାଉଛି ।

☆☆☆

 

।। ପନ୍ଦର ।।

 

ଅନ୍ଧାର ଛାତିଟିକୁ ଚିରିଦିଅ

ଭିତରେ କଳାରକ୍ତ ମୋର ଲୁହ

ଲୁହ ଝରିଲେ କରୁଣାର ଚିତ୍କାର

ଶବ୍ଦର ରଙ୍ଗ କାନର କଳାଗହ୍ୱର ଭିତରେ

ପ୍ରତିଧ୍ୱନି କରେ କଳାରାତି ।

 

ପାହାନ୍ତିକୁ ରଙ୍ଗବର୍ଣ୍ଣ କରିବା ଇଚ୍ଛା ନାହିଁ

ଆଭାରେ ସକାଳ ଡୋଳା

ଲେଉଟାଇ ଦେଖିବାକୁ ଚାହେଁ ନାଇଁ ଚାହାଣୀରେ,

ଆଖି ନାହିଁ...

ଆଲୋକର ଅନ୍ଧ ପୁଟୁଳି ଭିତରେ

ସେ ଦେଖେ ଅନ୍ଧ ଦେବତାକୁ

କିପରି ଅନ୍ଧକୁ ପ୍ରତାରଣା କରୁଛି ଆଲୋକ

ମୁଁ ଅନ୍ଧ ହୋଇ ଚିହ୍ନିବା ଆଲୋକର ବିବର୍ଣ୍ଣ ରୂପକୁ ।

 

ମୋର ଆଖି ଆଉ ଖୋଲନା,

ଆଲୋକ ମୋ ପାଇଁ ଅସହ୍ୟ

ସହିବାର ସୀମାନ୍ତର ନୀରବ ଅନ୍ଧାର ମଧ୍ୟେ

ଚେତନାର ଚିନ୍ତା ଭିତରେ ବନ୍ଦୀ କରି ରଖିଛି

କେବେ ଖୋଲିବୁ, କେବେ ?

ନିଃଶ୍ୱାସ ପରି ପାଦ ଚିପି ଚିପି ଚାଲୁଛି ସେ

ଠକ ଆଲୋକ କିପରି ଠକାଏ

ଅନ୍ଧକାରକୁ । ଅନ୍ଧ ଅନୁଭବ କରେ ଅନ୍ଧକୁ ।

☆☆☆

 

।। ଷୋହଳ ।।

 

ଆଗାମୀ ଜୀବନ କ’ଣ ହେବ

ତାହା ମୁଁ ଜାଣିନି ।

ଗଙ୍ଗା ତ କେବେ ଶୁଖିବନି

ମୁଁ ଯିବା ଯାଏ ବହୁଥିବ ଗଙ୍ଗା

ସେ ଯିବା ଯାଏ ମୁଁ ବହୁଥିବି

ଭାରତ ମାଟିର ଗାଲରେ ଲୁହ ହୋଇ ।

ମତେ ଆନନ୍ଦର ନଈଟିଏ

କରିଦିଅ ପ୍ରଭୁ !

ମୋର ଦୁଇ ଡୋଳାକୁ ଫୁଟେଇ ।

☆☆☆

 

।। ସତର ।।

 

ମୁଁ ଭାବୁଛି ସ୍ୱପ୍ନ ସାଗରର

ସୁଅରେ କୋକେଇଟିଏ ହେବି,

ରେ ମାଲ ଭାଇ ମେଘ

ମୋର ଦେହକୁ ଜାଳିଲେ ବି

ଲୁହ ମୋର ଝରୁଥିବ ଆକାଶରୁ ବର୍ଷାଜଳ ପରି

ସୂର୍ଯ୍ୟଟା ଗାଧୋଉଥିବ

ମୋ ଅନ୍ଧ ନଈରେ

ଖରାରେ ତ’ ପାଣି ତାତିବନି

ଅନ୍ଧକାର ଡେକିଚି ଉପରେ ।

 

ଟକ୍‌ମକ୍‌ ହୋଇ ଫୁଟୁଥିବା

ଦିନର ତାତିଲା ପାଣି ମୋର ଦୁଇ ଆଖିକୁ

ଅସଂଖ୍ୟା କାହାଣୀରେ ଭରିଦେବ

ପୃଥିବୀର ସୁଖ ଆଉ ଦୁଃଖ ।

ଅନୁତାପ ଅନ୍ଧ ହେବ

ଜରାକୁ କାଖେଇ,

ମାଟିର ମା’ମୋର ମୁଁ ଜୀଇ ରହିଥିବି

ଚିରକାଳ ତୋର ଅନ୍ଧାରର ସ୍ତନକୁ ମୁଠେଇ

ପିଉଥିବି ଦିବସର କ୍ଷୀର

ତୋର ଲୁହର ଚାମଚରେ ଦୁଃଖର ଚାଉଳ ।

 

ଖୁଣ୍ଟିବ ପାହାନ୍ତି କାଉର ଡେଣାରେ

ପ୍ରିୟତମା ଆଖିର କଜ୍ଜଳ ହୋଇ

ତା’ରି ଭିତରେ ଆଖି ହେବ ମୋର

ନିଶୂନ ଅନ୍ଧକାରର ପୃଥିବୀ ।

☆☆☆

 

।। ଅଠର ।।

 

ପୃଥିବୀର ସବୁ କଣ୍ଟାଗୁଡ଼ିକ

ମୋର ଆଖିରେ ଫୁଟି ଯାଇଛନ୍ତି ସୁନ୍ଦରୀ !

ତୋର ଆଉ ଡରିବାର ନାହିଁ

ତୁ ଆ’ ଈଶ୍ୱରୀ

ତୋ ପାଦରେ କଣ୍ଟା ଫୁଟିବାର ନାହିଁ ।

☆☆☆

 

।। ଊଣେଇଶ ।।

 

ମୋ ଦେହର ପୃଥିବୀ ଭିତରେ

ଆଖିର ଡୋଳା ମୋର ଭାରତର ମାନଚିତ୍ର

ଲୁହର କଣ୍ଟାରେ ଝୁଲୁଛି ।

ବିଖଣ୍ଡିତ ରୂପ ତା’ର ଦେଖିବାକୁ ଚାହେଁ ନାହିଁ

ଡୋଳା ମୋ ଖୋଲନା ପ୍ରଭୁ

ମତେ ଅନ୍ଧାର ଭଲ ଲାଗୁଛି ।

☆☆☆

 

।। କୋଡ଼ିଏ ।।

 

ତମେ ଜାଣିପାରୁ ନାହଁ

ଅନ୍ଧାରଟା କେମିତି ଦିଶେ

ଅନ୍ଧ ଆଖିରେ

ତମେ ଦେଖି ପାରିନାହଁ ତୁମର ମୁହଁ,

କେମିତି ଦିଶେ ଅନ୍ଧାର ଲୁହରେ ।

 

ଆଖିଥିଲେ ଲୁହଗଡ଼େ

କୋହ ହିଁ ବୁକୁ ତାଡ଼େ

ଅନ୍ଧାର ହେଲେ ତମେ ଜାଣ ନାହିଁ

ଏ ପୃଥିବୀ କେମିତି ଦିଶେ ।

☆☆☆

 

।। ଏକୋଇଶି ।।

 

ବିଗତ ଜନ୍ମରେ ମୁଁ କ’ଣ ଥିଲି ?

ତୁମେ ଜାଣି ନାହଁ

କିନ୍ତୁ ମୁଁ ଜାଣେ ମୁଁ କ’ଣ ଥିଲି ।

ଯୋଗଭ୍ରଷ୍ଟ ହୋଇଥିବାରୁ ଏ ଜନ୍ମରେ

ରାଜନୈତିକ ନେତା ଭାବେ ଜନ୍ମ ନେଲି ।

ଆଖି ଥାଇ କିଛି ଦେଖି ନଥିଲି

ଅନ୍ଧ ହେବାପରେ ଦେଖୁଚି

କ୍ଷମତାର ସିଂହାସନରେ ବସି

ମୁଁ କରୁଚି ଶାସନ ।

ଆଖିଥିବା ଲୋକମାନଙ୍କର

ଅନ୍ଧ ନ ହେଉଥିଲେ ଗୁଡ଼େ ଅନ୍ଧପ୍ରଜାଙ୍କର

କରୁଣ ଦୁଃଖକୁ ମୁଁ ଅନୁଭବି ନ ଥାନ୍ତି ।

ରେ ଅନ୍ଧ !

ସବୁ ଶାସକମାନଙ୍କୁ ଥରୁଟିଏ ପାଇଁ ତୁ

ଅନ୍ଧ କରିଦେ

ସେମାନେ ଜାଣନ୍ତୁ ଶାସନର ମୂଲ୍ୟ ।

☆☆☆

 

।। ବାଇଶି ।।

 

ବୀଜ ଭିତରେ ଶୋଇ ରହିଥିବା ଅଙ୍କୁରଟିକୁ

ଅନ୍ଧାର ଉଠାଇଲା,

ଅଙ୍କୁର କହିଲା, ମତେ ଶୋଷ ହେଉଛି

ପାଣିଦେ’, ମୁଁ ଚୁପ୍‌ଚାପ ଏତକ ଆଳାପ

ନୀରବରେ ଶୁଣି ଲୁହ ଢାଳିଦେଲି ।

 

ଲୁହର ଡାଳରେ କରୁଣ କ୍ରନ୍ଦନର ଫୁଲସବୁ ଫୁଟିଗଲା,

ସେ ଫୁଟନ୍ତା ଫୁଲକୁ ପ୍ରେମିକାର କଳାରାତି ଜୁଡ଼ାରେ

ଖୋସିବା ପାଇଁ ଖୋଜିଲି ।

ଦେଖିଲା ବେଳକୁ

ଆଲୋକ ହରଣ କରି ନେଇଛି।

ମାରିଦେଲି ଏକ ଆଗ୍ନେୟ ଗିରିର ଲାଭା

ମୋ’ ଘର ଭିତରୁ ମଣି

ଫୁଟିଗଲା ଆଲୋକର ଆଖି

ପୋଡ଼ିଗଲା ମୋ’ ପାପୁଲି ଓ ମୋର ମୁହଁ ।

 

ସେ ପୋଡ଼ାମୁହଁ ପାଖକୁ ଆସିଥିଲା

ମୋର ପ୍ରେମିକା ଅନ୍ଧାର

ଚିରନ୍ତନ ଆଲିଙ୍ଗନ ଅନ୍ଧାର ମତେ କୁଣ୍ଢାଇଛି

ମୁଁ ତାକୁ କୁଣ୍ଢାଇ ଧରିଛି

ଆମକୁ ଏତେ ବିଚ୍ଛେଦ କରନା ରେ ଆଲୋକ ।

☆☆☆

 

।। ତେଇଶି ।।

 

ଅନ୍ଧାରର କଣା ଆଖି

ମେଘର ମୁହଁରେ ଝୁଲୁଚି

ବରଷାର ଲୋତକ

କ’ଣ ପାଇଁ କାନ୍ଦୁଚ ଆକାଶ ?

ତମ ଲୁହର ମୂଲ୍ୟ ମାଟି ଦେଇ ପାରିବିନି

ମୁଁ କିନ୍ତୁ ତୋଳିଦେବି ଫୁଟୁଥିବେ ଅସଂଖ୍ୟ ଫୁଲକୁ

ମୁଁ କିନ୍ତୁ ତୋଳିଦେବି ପୃଥିବୀର ସମସ୍ତ ଫଳକୁ

ମୁଁ କିନ୍ତୁ ତୋଳିଦେବି ପୃଥିବୀର ସମସ୍ତ ନଦୀର ଜଳକୁ ।

 

ଗାଧୋଇ ଦେବି ଈଶ୍ୱର ତୁମକୁ

କପାଳରେ ତମର ଚନ୍ଦନ ଦେଇ ଗାଧୋଇ ଦେବି

ମୋ ଦେହର ଚମକୁ ବେଦନାର ଖୁଆରେ

ଘୋରି ଦେବି ଚନ୍ଦନ ତୁମକୁ,

ମୋର ରକ୍ତ ହେବ ଧୂପ

ସେଥିରେ ମୁଁ ତମ ପଦେ ଆଳତି କରିବି ।

 

ତମକୁ ସବୁକିଛି ଦେଇଥାନ୍ତି

କିନ୍ତୁ କିଏ ନେଲା ଚୋରାଇ କି ମୋର ଦୁଇ ଡୋଳା ?

ତମେ କ’ଣ ଏ ପର୍ଯ୍ୟନ୍ତ ଧରି ପାରିଲନି

ଚୋର ଆଲୋକକୁ,

କିନ୍ତୁ ମୋର ଅନ୍ଧକାର ଆଖିରେ

ଧରା ପଡ଼ିଯାଇଛି ଆଲୋକ

☆☆☆

 

।। ଚବିଶି ।।

 

ଅନ୍ଧକାରର ଆକାରଟା

କିଏ ଭାବୁଥିବ ମେଘ ଭଳି

କିଏ ଭାବୁଥିବ ଓଟ ଭଳି

କିଏ ଭାବୁଥିବ କୁଦ ଭଳି

କିଏ ଭାବୁଥିବ ଛେଳି ଭଳି

କାହାକୁ ଦିଶୁଥିବ କେମିତି ଯେମିତି,

ମତେ କିନ୍ତୁ ଦିଶୁଅଛି–

କଳା ଶାଢ଼ି ପିନ୍ଧିଥିବା ସେ ସୁନ୍ଦରୀ ନାରୀ ।

 

ଗୋଟିଏ ହାତରେ ତା’ର ଜନ୍ମ ତରବାରୀ, ଆଉ ଏକ ହାତରେ ତା’

ସୂର୍ଯ୍ୟର ଗୁଳି, ମଥାରେ ତା’ ସକାଳର ଶୂଳି ,

ଗଳାରେ ତା’ ମେଘର ଫାଶୀ ଦଉଡ଼ି,

ପାଦରେ ତା’ ସମୁଦ୍ର ନୁପୂର, ମୁଁ ତାକୁ ଆଲିଙ୍ଗନ କରି ବୋକ ଦେଲି ।

 

ଆଲୋକ ମତେ ଈର୍ଷା କରି

ମୋ ଆଖି ଫୁଟାଇ ସେ ଦେଲା,

ରାତିର ସୁନ୍ଦର ଚେହେରାଟା ବର୍ତ୍ତମାନ ଖୋଜୁଛି

ଆଲୋକକୁ ପ୍ରତିଶୋଧ ନେବା ପାଇଁ,

ମୋର ଦଉଇ ଡୋଳା ନ ଫେରାଇ ଅନ୍ଧକାର ଗୋଡ଼ାଇଛି,

ଆଲୋକର ବିଶ୍ରାମ ନାଇଁ

ମୁଁ ଦେଖୁଛି ଅନ୍ଧକାରର ଅତଳ ଗହ୍ୱର ଭିତରେ

ସ୍ୱପ୍ନଟିଏ ହୋଇ ।।

☆☆☆

 

।। ପଚିଶି ।।

 

ନଦୀଟା ହୋଇଛି ସାପ

ବିକଳରେ ଦୌଡ଼ୁଅଛି ଅନ୍ଧକାର ପାହାଡ଼ ଖୋଲକୁ ।

କାତି ଛଡ଼ାଇବା ପାଇଁ ଦିଶୁନାହିଁ ତା’ର ଆଖିକୁ ।।

ଚତୁରତାର ସହିତ ତା’ ଦେହରୁ ଆଣିଲି ଗରଳ ଲୁଚି ଲୁଚି ଯାଇ,

ଅନ୍ଧକାର ହେଲା ନୀଳକଣ୍ଠର ଗଳା,

ସେ ଗଳାର ମନ୍ତ୍ର ମୁହିଁ ହେଲି ଓ ବାଜିଲି

ସେ ମନ୍ତ୍ର ନାଦରେ ଦେବୀ ପାଦ ତୋର ଛନ୍ଦି ହେଲା

ତୁ ଅବା ପଳାଇଗଲୁ ନିଶୁନ ଅନ୍ଧାରକୁ । ଭେଟିଥିଲୁ ମତେ,

କାନ୍ଦୁଥିଲୁ ଓ ଲୁହ ଗଡ଼ାଇ ପଚାରିଲୁ–

‘‘କିଏ ତୋର ଆଖି ନେଲା ଚୋରିକରି ?’’

ମୋ’ର ଉତ୍ତର ଥିଲା–

ଦୋଚାରୁଣୀ ହୁଅନାହିଁ ଦେବୀ, ତୁ ଯଦି ଭଲପାଉ ଆଲୋକକୁ ।।

 

ମୋ’ ପାଖକୁ ଆସନା,

ମତେ ଯଦି ଭଲପାଅ ଆଲୋକକୁ ଯାଅନା ।

ମୁଁ ତୋର ଶିବ- ଅନ୍ଧାର , ତୁ ମୋର ବିହରିଣୀ ପାର୍ବତୀଟିଏ

ଚାଲ ଆମେ ଅସୀମତାର ଅନ୍ଧାରରେ ଚିର ତପସ୍ୟା କରିବା ।।

☆☆☆

 

।। ଛବିଶି ।।

 

ଜୀବନ ଖୋଲ ଭିତରେ

ଅନ୍ଧାର ତୁ ପେଚାର ଆଖି ଭିତରେ ଶୋଇ ପଡ଼ିଛୁ ।

ଜୀବନର ଡାଳରେ ତୁ ଝୁଲି ରହିଛୁ ରାତିର ବାଦୁଡ଼ି

ତା’ ଭିତରେ ତାରାର ମଞ୍ଜିଟିଏ ହୋଇ

ଶୋଇ ଯାଇଛୁ ।

 

ରାତି ବି ଶୋଇ ପଡ଼ିଛି ସାପର ଗାତରେ

ମୁଁ କ’ଣ ସେମାନଙ୍କଠାରୁ ଏତେ ହୀନ ଯେ

ମୋତେ ଜମା ନିଦ ନାହିଁ,

ଯଦି ଦେଲୁ ମଣିଷ ଜନମ

ତୋର ତ ଅଧିକାର ନାହିଁ ମୋର ଡୋଳା ଚୋରାଇ ନେବାକୁ

କେଉଁଠି ତୁ ଲୁଚାଇଛୁ ?

ଲୁହର ସାଗରକୁ ଲେଉଟାଇ ଦେଲି ଆକାଶ ପିଠିରେ ।

 

ରାତିର ବିଧାରେ ବିଦୀର୍ଣ୍ଣ କଲି ସକାଳର ମୁଠାକୁ ।

ରକ୍ତବର୍ଣ୍ଣର ପୃଥିବୀ ଭିତରେ ଦୁଃଖର ହାତୁଡ଼ି ପିଟି

ଜୀର୍ଣ୍ଣ କଲି କେତେ କରୁଣ ଇତିହାସ ।

କୁଣ୍ଢାଇ ଧରିଲା ବେଳକୁ ଦେଖିଲି ସେ ଇତିହାସ ହୋଇଛି ମୋ ପ୍ରେମିକା,

ଏବଂ ଅନ୍ଧକାରର ପ୍ରେମରେ ମୁଁ ପଡ଼ିଯାଇଛି ।

 

ଆମ ଦୁହିଁଙ୍କୁ ମୃତ୍ୟୁ ଆଲିଙ୍ଗନ କରୁଛି

ମରଣର କଳାକୁ ଅଞ୍ଜନ କରି ପ୍ରେମିକା ତା’ ଆଖିରେ ବୋଳିଲାବେଳକୁ

ଦେଖାଯାଏ ସୂର୍ଯ୍ୟର ଆଖିରେ ଲୁହ ।

ସୂର୍ଯ୍ୟର ସିନ୍ଦୂର କରି ମୁଁ ଆଙ୍କିଲି ପ୍ରେମିକାର କପାଳ ଦେଶକୁ,

ଆମ ପ୍ରଣୟର ଦାରୁଣ ଦୁଃଖକୁ ।

☆☆☆

 

।। ସତେଇଶି ।।

 

ସୂର୍ଯ୍ୟଟା ଖସିପଡ଼ିଲା

ଦେଖିଲି ସମ୍ପୂର୍ଣ୍ଣ ଲଙ୍ଗଳା ତା’ ଦେହ

ମୋ’ ମୁହଁରୁ ଚମଡ଼ାଟାକୁ ଉତାରି ଦେଇ

ଲୁଗା କରି ପିନ୍ଧିବାକୁ ହେଲା ।

ତା’ ବିବେକ ମତେ ଟିକେ ପଚାରିଲା ନାହିଁ

ମୋ’ ଯନ୍ତ୍ରଣା ଚିତ୍କାର କରି କହିଲା–

‘‘କେଡ଼େ କୃତଘ୍ନ ସୂର୍ଯ୍ୟ ?’’

ସୂର୍ଯ୍ୟର ନୀରବ ଉତ୍ତର ଏବଂ ପଦପାତ ।

 

ଅନ୍ଧାର ଭିତରେ ମୁଁ ଦେଖୁଛି–

ମୋର ଦୁଇ ଡୋଳା ଫିଙ୍ଗିଦେଲି ଆକାଶ ଆଡ଼କୁ

ସେ ଜହ୍ନ ହୋଇ ଆଲୋକ ଦେଉଛି ପ୍ରିୟତମା,

ତୁମର ତାରୁଣ୍ୟ କଇଁ ହୋଇ ଫୁଟିଲେ ବି

ପ୍ରତି ରାତିରେ ଝରୁଛ ତୁମେ ବିରହ ପାଖୁଡ଼ା ।

 

ଫିଙ୍ଗିଦେଲି ମୋ’ ଡୋଳାକୁ

ବାଜିଥିଲା ସୂର୍ଯ୍ୟର ଆଖିରେ

ଲୁହ ଆହା ବହି ପଡ଼ିଥିଲା ପଦ୍ମ ପାଖୁଡ଼ାରେ

ମୋ ରକ୍ତର କେଶର ଗ୍ରନ୍ଥରେ

ବ୍ରାହ୍ମାଣ୍ଡର ମାଢ଼ି ପାଚିଗଲା, ମୋର ଅନ୍ଧକାର ଦାଢ଼ିକୁ–

ଆଲୋକର କ୍ଷୁର କାଟିବାକୁ ଗଲାବେଳେ ମୁଁ କହିଲି

–ମୁଁ ବୈରାଗୀ, ରାତିର ସନ୍ନ୍ୟାସୀ

ମୋତେ ତୁମେ ନିଅ ନାହିଁ ଆଲୋକ ପାପ ପାଖକୁ,

ଅନ୍ଧକାର ମୋ ପାଇଁ ପୁଣ୍ୟ

ଯେ ହେତୁ ମୁଁ କରୁଅଛି ମୋର ଚକ୍ଷୁଦାନ

☆☆☆

 

।। ଅଠେଇଶି ।।

 

କମାର ଶାଳର ଭାତି ହେଇଯାଇଛି ମୋର ଏ ବୁକୁ

ସ୍ନାୟୁର ଦଉଡ଼ିରେ କମାରଟିଏ

ମୋର ହାଡ଼କୁ ଲୁହା କରି ପଜାଉଛି ।

ମୁଁ ଦେଖିଲି, ନିଆଁ ବି ମାଡ଼ ଖାଉଛି.

ଛାର ଏକ କମାରର ବାହୁର ମାର୍ତ୍ତୁଲରେ

ମୁଁ କିଛି ରାତିକୁ ଅଙ୍ଗାର କରି ଢାଳିଦେଲି

ସେହି ଗରମ ନିଆଁର ପୋଡ଼ା ଚମ ଉପରକୁ

ଦେଖିଲି, ମୋର ଡୋଳା

କେମିତି ତିଆରି ହୋଇଯାଉଛି ଅଙ୍ଗାର ଭିତରେ ।

☆☆☆

 

।। ଅଣତିରିଶ ।।

 

ଅନ୍ଧାର ଭିତରେ ଦେଖୁଛି, ସାଗରର ରଙ୍ଗ କ’ଣ ?

ଅନ୍ଧାର ଭିତରେ ଦେଖୁଛି ଫଗୁଣର ରଙ୍ଗ କ’ଣ ?

ଅନ୍ଧାର ଭିତରେ ଦେଖୁଛି ଆକାଶର ରଙ୍ଗ କ’ଣ?

ଅନ୍ଧାର ଭିତରେ ଗୋରୀ ତୋ’ ମୁହଁ ରଙ୍ଗ କ’ଣ ?

ଅନ୍ଧାର ଭିତରେ ଦେଖୁଛି ଜଙ୍ଗଲର ରଙ୍ଗ କ’ଣ ?

ଅନ୍ଧାର ଭିତରେ ଦେଖୁଛି ଚୁମ୍ୱନର ରଙ୍ଗ କ’ଣ ?

ସବୁ ଏକାକାର, ଅନ୍ଧାର ଅନ୍ଧାର

ତୋର କରୁଣ ଚେହେରା ମୋ କଣା ଆଖିର ଆସ୍ତରଣ ଦେଇ ଗତି କରୁଛି ପାତାଳକୁ,

କାମୁକ ଈଶ୍ୱର,

କେଉଁଠି ଭ୍ରଷ୍ଟ ହୋଇ ତୁମ ବ୍ରହ୍ମଙ୍କୁ ଦେଇଛ ଗଳେଇ

ଅନ୍ଧକାରର ଗର୍ତ୍ତରେ ।

☆☆☆

 

।। ତିରିଶି ।।

 

ଆଲୋକର ଚେହେରାଟା

ଅନ୍ଧର ରନ୍ଧ୍ରରେ ବହ୍ମର ରଙ୍ଗ ।

ପ୍ରଣୟର ଚେହେରାଟା ପ୍ରେମିକ ଆଖିରେ

ଲକ୍ଷ ବୀଜର ତରଙ୍ଗ ।

ବିରହର ରୂପଟା ବେଦନାର ଆକାଶ ଭିତରେ

ଗୋଟାଏ କଳାଭୂତର ଦେହ

କାମନାର ରଙ୍ଗ ଆହା ପିପାସା ତରଙ୍ଗ ।

 

ମୋର ବିବାହ ହୋଇଛି ଅନ୍ଧକାରକୁ

ମୋ ଆଖିର ଚଉଦହୀ ପରେ ଲୁହର ଚଉଠି

ଦୁଃଖର ହାତଗଣ୍ଠି ଯାଇଅଛି ପଡ଼ି, ଖୋଲ ଲୋ ପ୍ରେମିକା,

ମତେ ଅନ୍ଧାର ଭଲ ଲାଗୁଛି ।

☆☆☆

 

।। ଏକତିରିଶ ।।

 

ଜୀବନର ପଡ଼ିଆ ଭିତରେ

କଳା ଗାଈଟିଏ ହୋଇ ଚରୁଛି ମୋ ଆଖି

ପହ୍ନାରୁ ଝରୁଥିବା ଦିବସର କ୍ଷୀର କାଳ ପିଇ ଯାଉଛି ।

ସକାଳ ପଘାଟିଏ ହୋଇ ଛନ୍ଦିହୋଇଛି ତା’ ଗୋଡ଼ରେ

ସଞ୍ଜ ଆହା ସାପଟିଏ ହୋଇ ତା’ ଚିରରେ ମୁହଁ ଲଗାଇଛି ।

 

ଗରଳଗୁଡ଼ାକ ନୀଳ ପାଲଟି ଯାଇଛନ୍ତି

ମୁଁ ଦେଖିଲି

ସାପର ସେ ଦୁଇ ଆଖିକୁ ଫୁଟାଇ ମୁଁ ଦେଲି

ଗରଳର ଗାତ ଭିତରେ ରହି ସାପ ଫେରି ପାରିଲାନି

ତା’ ଘର ଭିତରକୁ ।

ମୁଁ ତା’ର ଘର ଭିତରେ ଆରାମରେ ଶୋଇ ଯାଇଛି

ମତେ ଆଉ ଉଠାନାରେ ଆଲୋକ,

ମୁଁ ହେଇଯାଇଛି ସ୍ୱପ୍ନ ଦାରୁଣ ଦୁଃଖର ।

☆☆☆

 

।। ବତିଶି ।।

 

ସାରା ପୃଥିବୀଟା ଏକ ହାସ୍‌ପାତାଲ୍‌

ମୁଁ ଦେଖୁଛି !

ତା’ଭିତରେ ଯନ୍ତ୍ରଣାରେ ଛଟପଟ

ସବୁ ମଣିଷଗୁଡ଼ାକ

ରୋଗୀ ଓ ରୋଗିଣୀ ।

☆☆☆

 

।। ତେତିଶି ।।

 

ଅନ୍ଧାର କେବେ କ’ଣ

ଅନ୍ଧ ଭିତରେ ଅଛି ?

ଚରିତ୍ର ଭିତରେ ଅନ୍ଧକାରର ନିବିଡ଼ତା

କିନ୍ତୁ ସେ ଯେ ଆଖି ନଥିବା ମଣିଷଟିଏ ।

ତୁମେ ଅନ୍ଧ–ଆଃ

ଅନ୍ଧ ହେଲେ ଦେଖିହୁଏ ମାନବତାର ରଙ୍ଗ !

ଆଖି ଖୋଲିଗଲେ ହିଁ

ଭୂତ ଭଳି ମାଡ଼ିବସେ ଆଲୁଅର ସାପ ।

☆☆☆

 

।। ଚଉତିରିଶି ।।

 

ପୃଥିବୀର କେବଳ ଆବର୍ଜନା

ଓ ମଣିଷମାନଙ୍କୁ ଦେଖି

ଆଖିଟା କ୍ଲାନ୍ତ ହୋଇ ପଡ଼ିଥିଲା ।

ଭଲ ହେଲା ।

ଅନ୍ଧ ହେଲା ପରେ ଦେଖିଲି

ଅନ୍ଧକାର ଭିତରେ ଅଛି ସବୁ ଜୀବନ ।

 

ମୁଁ ମୃତ୍ୟୁକୁ ଦେଖିଥିଲି

ଅବସାଦ ଭିତରେ

ଏବେ ଜୀବନକୁ ଦେଖୁଛି

ଅନ୍ଧକାର ଭିତରେ ।

 

ଅନ୍ଧକାର ସେହିମାନଙ୍କର ଯୋଗ୍ୟ

ଯେଉଁମାନେ କେବେ ଜାଣି ନାହାନ୍ତି

ଚେତନା କ’ଣ ?

ଆଲୋକ କ’ଣ ?

ସେମାନଙ୍କୁ ବୁଝାଇ ଦେବାକୁ ଚାହେଁ;

ପଅଥିବୀରେ କିପରି ଦୁଃଖ ଓ ଯାତନାର

ସିଡ଼ି ଥୁଆ ହୋଇଥାଏ

ପ୍ରତିଟି ମଣିଷ ପାଇଁ

ପାରିହେବାକୁ ସମୟର ନଈ !

☆☆☆

 

।। ପଇଁତିରିଶି ।।

 

ସୂର୍ଯ୍ୟଟା ଯଦି ହଠାତ୍‌ ଲିଭିଯାଏ

ସମୟ କେମିତି ଅମୃତମୟ

ସକାଳଟିଏ ହୋଇ ଫୁଟିପଡ଼େ !

ମୋ’ ଭିତରେ ଅସୀମ ଯନ୍ତ୍ରଣାର

ଅନ୍ଧକାରକୁ ପୋଛି ଦେଇ

ଜନ୍ମ ନିଏ ଚେତନାର ତେଜମୟ

ସ୍ୱର୍ଣ୍ଣାଭ ଆଲୋକ !

☆☆☆

 

।। ଛତିଶି ।।

 

ଆଖି ଥିଲାବେଳେ ମୁଁ ଦେଖିଛି

ଜୀବନ ଗଛର ଡାଳରେ ଝୁଲି ରହିଥିବା

ଛାଗଳ ଦେହରୁ କେମିତି ଜହ୍ଲାଦ ଉତ୍ତାରି ଦିଏ ଚମ

ରକ୍ତ ଜରଜର ମୁଣ୍ଡଟି ଭିତରେ ଦୁଇ ଆଖିର ମଲା ଡୋଳା ।

ଏବଂ ତା’ ଭିତରେ କେମିତି ଜୀଇଁ ରହିଥାଏ ମୃତ୍ୟୁ ମୁଁ ଦେଖିଛି ।

 

ଘାଆ ଚାରିପଟେ ମାଛି ଉଡ଼ିଲା ଭଳି

ଉଖୁଡ଼ା ଚାରିପଟେ ପିମ୍ପୁଡ଼ି ଘେରିଲା ଭଳି

ଗୁଡ଼ାଏ ମଣିଷ ରାସ୍ତାକଡ଼ୁ ସେଇମିତି ବାଣ୍ଟି ନିଅନ୍ତି

ଟୁକୁଡ଼ା ଟୁକୁଡ଼ା ରକ୍ତମିଶା ମାଂସ ।

 

ସେ ମାଂସ କାହାର ?

ଗୋଟାଏ ପଶୁର ।

ସେ ରକ୍ତ କାହାର ?

ଗୋଟାଏ ବଳିର ?

ଯେଉଁଥିରେ କଟା ସେ ଛୁରୀ କାହାର ?

ଗୋଟାଏ ଘାତକର ।

ତା’ପରେ ଆହାର ହୁଏ–ମାଂସ ମାଂସକୁ ଖାଏ ।

 

କରୁଣ ଜୀବନଟି କେଉଁ ଗର୍ଭକୁ ଯାଏ ?

କେଉଁ ବ୍ରହ୍ମାଣ୍ଡକୁ ଯାଏ ତା’ର ଆତ୍ମା ?

ଛାଗଳ ପଶୁଜନ୍ମରୁ ମୁକ୍ତି ପାଏ କି ନପାଏ ତାହା ତୁମକୁ ଜଣା ।

ତମେ କିନ୍ତୁ ମୁହଁରୁ ମୋର ଚମଡ଼ା ଉତ୍ତାରି ନେଲ

ମୋର ମାଂସ ରକ୍ତକୁ ଦାନ କରିବା ପୂର୍ବରୁ

ଆକାଶର ଜହ୍ନ ସିନା ହାବୁକାଏ ପବନ ଠେଲିଦେଇ

ବନ୍ଦ କରି ଦେଇଥିଲା ସେଦିନ ଘାତକ ହାତର ପାପୁଲିକୁ,

ପୋଡ଼ି ଯାଇଥିଲା ଡୋଳା

ପଚିବା ପୂର୍ବରୁ ତାହାକୁ ତମେ ପଠାଇ ଦେଇଥିଲ

ହସ୍‌ପିଟାଲ ବେଡ଼୍‌କୁ । ତା’ପରେ ଇଞ୍ଜେକ୍‌ସନ୍ ଆଉ ଇଞ୍ଜେକ୍‌ସନ୍‌ ।

 

ମଲା ସେଇ ଦୁଇଡୋଳା ଭେଟିଲା ଅନ୍ଧକାରକୁ

ଆଲୋକର ଛୁରୀ ଆସି ତା’ର ପତାକୁ ଖୋଳିଲା

ଡୋଳା ଭିତର ଲୁହର ସମୁଦ୍ରରେ

ଭାସୁଥିଲା ଈଶ୍ୱରର ଶବ । ସେ ଶବ ପଚିବା ପୂର୍ବରୁ

ଜୀବନ୍ୟାସ ଦେଇ ମୁଁ ଉଠାଇଲି ।

ଈଶ୍ୱରଙ୍କର ଛୋଟିଆ ଉତ୍ତର–

ମୁଁ ଟିକେ ଢୁଳାଇ ପଡ଼ିବା ଭିତରେ ତୋର ଏମିତି ହେଲାନା !!

ମୁଁ କହିଲି ଭଲ ହେଲା–ଆପଣ ମୋତେ ଆପଣଙ୍କୁ

ସେବା କରିବାକୁ ସୁଯୋଗଟିଏ ଦେଲେ,

ଏ ଦଣ୍ଡ ଭାଗ୍ୟରେ ଥିଲେ ମିଳେ !!!

☆☆☆

 

।। ସଇଁତିରିଶି ।।

 

ସୂର୍ଯ୍ୟର ବଳୟ ଦିଶେ ମୋ’ ମଥାର ପଛ ପାଖେ

ଅସୀମ ଅନ୍ଧାର ଭିତରେ

ପୁନର୍ବାର ଦେଖୁଚି ମୁଁ ସୂର୍ଯ୍ୟର ପୋଡ଼ାମୁହଁ

ଲାଖି ଅଛି ମୋର ଛାତିରେ ।

 

କ’ଣ ଯେ ଭାବିବ ସତେ ସକାଳ ଦେଖିଲେ ?

ନିଃଶ୍ୱାସର ନଦୀ ବରଂ ସ୍ଥିର ହୋଇଯିବ,

ଦାନ କରି ଦେଲି ମୋର ମୁହଁ ମୁଁ ସୂର୍ଯ୍ୟକୁ

ସବୁ ଅନ୍ଧକାର ଦେଇ ବଦଳରେ ମୋ’ଠାରୁ

ଆଲୋକ ସେ ନେବ ।

☆☆☆

 

।। ଅଠତିରିଶି ।।

 

ଆଜକୁ ୪୨ଦିନ ହେବ

ମୁଁ ଦେଖିନାହିଁ ସୂର୍ଯ୍ୟୋଦୟ କି ସୂର୍ଯ୍ୟାସ୍ତ

ଅନ୍ଧାରକୁ ପଚାରିଲି ମୋର

୪୨ ଦିନର ଫୁଲଗୁଡ଼ିକ

ଲୁହର ନଈ ଧାରରେ ବୁଝୁଛନ୍ତି କି ନାହିଁ ?

ଅନ୍ଧାରର ଉତ୍ତର ଥିଲା–ହଁ,

ମୁର୍ ତୋର ଦୁଇ ଡୋଳାକୁ ପୋତି ଦେଇଚି

ସେଇ ମଲା ଫୁଲଙ୍କର ଶେଯରେ ।

☆☆☆

 

।। ଅଣଚାଳିଶି ।।

 

ରାତିର ରଙ୍ଗ ଅନ୍ଧ ଜାଣେ

ଲୁହର ରଙ୍ଗ କ’ଣ କେବଳ କାନ୍ଦ ଜାଣେ,

ତୁମ ରଙ୍ଗ ମୁଁ ଜାଣେ,

ତୁମେ ଜାଣନା ସ୍ୱପ୍ନ ରଙ୍ଗ

ଦୁଃଖ ରଙ୍ଗ ।

ଶୋକର ରଙ୍ଗ କ’ଣ ?

ଅନ୍ଧ ଆଖିରେ କ’ଣ ଅନ୍ଧକାର ଚିରନ୍ତନ ?

ଚିର ଅନ୍ଧକାର ଫରୁଆ ଭିତରେ

ଜୀବନ ଭଅଁର ଗୁଣୁ ଗୁଣୁ ହୋଇ

ହାତଠାରି ପବନରେ ମତେ ଡାକେ ।

 

ଆଲୋକକୁ ଆଲୋକର ବୀଭତ୍ସ ଚେହେରା

ମୋତେ କହେ–

ଅନ୍ଧକାର ଭିତରେ ମୁଁ ଅଛି

ମୋତେ ଅଣ୍ଡାଳିବା ପାଇଁ ତତେ ଯେଉଁ

ଦଣ୍ଡ ଦିଆଯାଇଛି

ସେ ଦଣ୍ଡର ରଙ୍ଗ କ’ଣ ?

ଜୀବନର ଦାଣ୍ଡରେ ଅନ୍ଧଟିଏ ଠିଆ ହୋଇ

ଆଲୋକକୁ ଆଞ୍ଜୁଳା ହସ୍ତରେ

ଡାକୁଛି ।

☆☆☆

 

।। ଚାଳିଶି ।।

 

ଆଖିଥିଲାବେଳେ ହସନ୍ତ ପୃଥିବୀକୁ ଦେଖୁଥିଲି

ବନ୍ଦ ହେଲାପରେ ଦେଖିଲି କାନ୍ଦିଲା ଅନ୍ଧାରକୁ ।

ପବନ ଖଞ୍ଜଣୀ ହୋଇ ବାଜୁଛି

ଜୀବନର ଗୋଧି ଚମଡ଼ାରେ

ଅଙ୍ଗୁଳି ଚଳାଉଥିବା ଅନ୍ଧ ଆଖିରେ

ଅନ୍ଧକାର ବାଜୁଛି ଖଞ୍ଜଣି ହୋଇ ।

 

ନିଃଶ୍ୱାସରେ ଅହରହ ଭଜନ

ମୁହୂର୍ତ୍ତର ମଶାଣୀରେ ଆୟୁଷ ଶୋଇଯାଇଛି,

ମୁଁ ତାକୁ ଉଠାଇ ପଚାରିଲି,

‘‘ତୁମେ ଆଲୋକ ପାଖକୁ ଯିବ ?’’

ନୀରବ ଉତ୍ତର ଥିଲା–

‘‘ପୃଥିବୀ ଯାକର ସବୁ ଆଲୋକ ଜଳିଯାଇଛି,

ତୋ’ରି ପାଇଁରେ ପ୍ରସନ୍ନ ।’’

ମୁଁ ମୁଠେଇ ଧରିଛି ଆଲୋକକୁ ।

ମୋର ହାତ ପୋଡ଼ି ଯାଇଛି

ମୁହଁରେ ମୋର ଦୁଃଖର ନିଆଁ

ଲୁହରେ ଲିଭାଇ ଦେଇ ଦୁଃଖଟା ହୋଇଯାଇଛି ଫେରାର !

ଅନ୍ଧାର ବି ତା’କୁ ଖୋଜି ପାଉନି

ଆଲୋକର ଅବା କି’ ମୂଲ୍ୟ !

ସେ’ତ ଧରି ପାରୁନାହିଁ ଅସୀମ ଅନ୍ଧକାରକୁ,

ଅନ୍ଧକାର ଅନ୍ଧ ହୋଇଯାଇଛି ଅନ୍ଧାରରେ

ଆଲୋକ ଆଖିଡ଼ୋଳା ଖୋଳିବା ପାଇଁ ତା’ର ନଖରେ

ଚେଷ୍ଟା କଲାବେଳେ ଅନ୍ଧକାରର ପନିକି ଧାରରେ

କଟି ଯାଇଛି ଦୁଃଖର ପାପୁଲି ।

 

ରକ୍ତ ଜୁଡ଼ୁ ବୁଡ଼ୁ ରାତିଟାକୁ ସିନ୍ଦୂର କରି

ମୁଁ ସାଇତି ରଖିଛି ମୋ ପ୍ରେମିକାର ଫରୁଆରେ

ଏବଂ ମନ ମୋର ଯାଇଛି ଶୋଇ

ତା’ର ସତୀତ୍ୱର ସୁନ୍ଥାଣୀରେ ।

☆☆☆

 

।। ଏକଚାଳିଶି।।

 

ଦେହର ଲଣ୍ଠନ ଭିତରେ ଜଳୁଛି ଜୀବନ

ହଠାତ୍‌ ଲିଭାଇ ଦେଇ ଅନ୍ଧକାର କରିଦେଲ

ଅନ୍ଧ ମୋର ଆଖି ।

ଚିର ଦିନ ଅନ୍ଧକାର !

ହେ ଆଲୋକ ! ମୋତେ ତୁମେ ଅନ୍ଧ କଲ

ମୋ ପାଇଁ ଅନ୍ଧାର ଅସହ୍ୟ ନୁହେଁ

କିନ୍ତୁ ଆଲୋକ ନିଷ୍ଠୁର ।

 

ଦୂରନ୍ତ ଅନ୍ଧକାର ଭିତରେ ଶୋଇଥିବା

ନିଷ୍ଠୁର ସେ ଆଲୋକ ମୋର ଚିହ୍ନା ।

ତଥାପି ମୁଁ ପଚାରେ ନଦୀକୁ

କେବେ ଖୋଲିବୁ ତୁ ସମୁଦ୍ର ଆଲୋକର ଦ୍ୱାର ?

ମୁଁ ତ ସେ ଅନ୍ଧକାର ଭିତରେ

ଜୁଆର ହୋଇ ଧରିଛି ଆକାଶ ।

☆☆☆

 

।। ବୟାଳିଶି ।।

 

ଈଶ୍ୱରଙ୍କର ଓ ମୋର ଖେଳୁଥିଲୁ

ଖେଳୁ ଖେଳୁ ମୁଁ ପଡ଼ିଗଲି ।

ଈଶ୍ୱର ମୋତେ ଉଠେଇ ଦେଉ ଦେଉ

କଣ୍ଟା ଫୁଟିଗଲା ଆଖିରେ ତାଙ୍କର ।

 

ମୁଁ ସେହି କଣ୍ଟାକୁ କାଢ଼ି ଦେଖିଲି

ତାହା କଣ୍ଟା ନୁହେଁ

ତାହା ହେଉଛି ଦିନର ଦାନ୍ତ

ପୋତିଦେଲି ବେଦନାର ମାଟିରେ

ତା’ରି ନିଆଁରେ ଜଳକା ହୋଇଗଲା

ମୋ ଆଖି ।

 

କେଜାଣି କେତେବେଳେ

ଈଶ୍ୱର ଆସି କହିଲେ

ଆମେ ଅନ୍ଧ ନୁହେଁ ଯେ

ଅନ୍ଧାରଟା ହିଁ ଅନ୍ଧ ହୋଇଯାଇଛି ।

☆☆☆

 

।। ତେୟାଳିଶି ।।

 

ମୃତ୍ୟୁ ଓ ଅନ୍ଧାର ଦୁଇ ବନ୍ଧୁ କରନ୍ତି ଆଲିଙ୍ଗନ, ଚୁମ୍ୱନ

ଆଲିଙ୍ଗନ କରି ଦୁଇ ବନ୍ଧୁ

ଜୁଇ ହୋଇ ଜଳନ୍ତି ଅଙ୍ଗାର ଭିତରେ ।

ହେ ମୋର ଜୁଇ !

ସନ୍ଧ୍ୟାର ଗୋରା ଗାଲରେ କଳାଜାଇ

ଫିଙ୍ଗିଛୁ ବହୁବାର

ମୋର ଆଖି ଖୋଲନା

ତୋ’ ଯୌବନରେ ମୁଁ କ୍ଲାନ୍ତ ।

 

ଜୀବନର ଅନ୍ଧକାର ଭିତରେ

ମୁଁ ଦେଖେ ଆଲୋକର ହାଡ଼

ପୋଛି ପାରେନା ଜମା ଚର୍ମର ଅନ୍ଧାର

ଦୁଃଖ ତ ସର୍ବଦା ଦୁଃଖ !

ତା’ଭିତରେ ଆଖିର ଆଲୋକ ମୁଁ ପୋଡ଼ି ଯାଇଛି,

ପୋକଟିଏ ଆଲୋକ ଆଖିରେ କାମୁଡ଼ି ଧରିଛି ଡୋଳାକୁ

ନିଶୂନ୍‌ ଅନ୍ଧକାରଟିଏ ।

☆☆☆

 

।। ଚଉରାଳିଶି ।।

 

କ୍ରୋଧର ରଙ୍ଗ କ’ଣ ?

ଅନ୍ଧ ପଚାରେ ଅନ୍ଧକାରକୁ

ରଙ୍ଗ ହେଲା କଳା

ଡୋଳାର ସଙ୍ଗରେ କାଚି

ପ୍ରତ୍ୟହ ଲୁହର ଶାଢ଼ି

ମୋ ଦେହରେ ଓଦା,

ତମ ଦେହରେ ଅନ୍ଧକାରର ଉତ୍ତାପ

କରୁଣ କ୍ରୋଧ ଅନୁଭବ କଲି ମୁଁ

ଈଶ୍ୱର ମୋ’ ଉପରେ ରାଗି ଯାଇଛନ୍ତି

ସେଇ ରାଗର ନିଆଁରେ ପୋଡ଼ିଯାଇଛି ମୋର ମୁହଁ

ଆଉ କେଉଁଠି ଜାଗା ଅଛି ଯେ,

ତୁ ମୋ ମୁହଁ ଦେଖିବୁ ?

☆☆☆

 

।। ପଇଁଚାଳିଶି ।।

 

ଶୂଳି ଚଢ଼ୁଥିବା ଲୋକଗୁଡ଼ାକର

ବେଦନଟା କେମିତି ମୁଁ ଜାଣି ପାରୁଛି

ଇଞ୍ଜେକ୍‌ସନ୍‌ ମୂନରେ

ରୋଗିଣୀ ଚଢ଼ୁଛି ଶୂଳି ଲୁହ ସିରିଞ୍ଜରେ

ରାତିଟା କମ୍ୱଳ ହୋଇ ଘୋଡ଼େଇ

ହୋଇ ପଡ଼ୁଛି ପାଦରୁ ତଳିପା

ଆଲୋକର ଷ୍ଟ୍ରେଚରରେ ଚିର ଅନ୍ଧକାରଟିଏ

ହୋଇ କେତେଦିନ ମୁଁ ଆଉ

ଶୋଇ ରହିବି ?

ରେ ଆଲୋକ ! କେବଳ ତୋତେ ହିଁ ଜଣା ।

☆☆☆

 

।। ଛୟାଳିଶି ।।

 

ଆଖିଥିଲାବେଳେ ଜାଣି ପାରୁନଥିଲି

ଅନ୍ଧାରର ଘର କେଉଁଠି

ଏବେ ଡୋଳା ବୁଜି ହୋଇଯିବାରୁ

ଅନ୍ଧାରକୁ ଦେଖିଲି ମୋ କଲିଜା ଭିତରେ

ବସା ବାନ୍ଧିଛି–

ମୋ ହୃଦୟଟା ଗୋଟେ ଲଣ୍ଠନ ହୋଇ ଜଳୁଚି

ତା’ରି ଭିତରେ ଦାଉ ଦାଉ ମୋର ଆତ୍ମାର ଶିଖା

ତମେ କନାଟିଏ ହୋଇ ମୋର ପାପୁଲିରେ

ଆଲୁଅ ! ମୁଁ ସେ କନାଟିକୁ ଅନ୍ଧ ପୁଟୁଳି

କରି ବାନ୍ଧିଦେଲି ଚେତନାର ଆଖିରେ ।

☆☆☆

 

।। ସତଚାଳିଶି ।।

 

ସବୁ କଣ୍ଟାଗୁଡ଼ିକୁ ଖଞ୍ଜିଦେଲ ଈଶ୍ୱର

ମୋ ଲୋମକୂପ ମୂଳେ

ଏ କାହାର ଫୁଲଶଯ୍ୟା ଦେଖୁଛି ମୁଁ

ତୁମ ପାଦ ତଳେ !

ମୁଁ ପାଲଟିଛି ଅନ୍ଧ ଭଅଁରଟିଏ

ରେଣୁ ରେଣୁ ଅନ୍ଧାରର ପରାଗରେ ।

ମୋର ଗୁଞ୍ଜରଣରେ କଳକଳ ଧ୍ୱନି ହୋଇ ଶୁଭେ

ପୃଥିବୀର କାକଳୀ ଲୁହର ନଦୀରେ ।

☆☆☆

 

।। ଅଠଚାଳିଶି ।।

 

ହିତାକାଂକ୍ଷୀ ଜଣେ ମୋତେ ପଚାରିଲେ ଦିନେ,

ମୋର ଦୁର୍ଘଟଣା ବେଳେ,

‘‘ଆପଣ ତ ଯୋଗୀ,

ଯୋଗୀଙ୍କର ପାଇଁ କେବେ ବିପଦ ଆସେନା

ଆସେ ନାହିଁ ଦୁର୍ଘଟଣା

ବରଂ ଏହା ଆସିଥାଏ ଆମ ପରି ଭୋଗୀଙ୍କର ପାଇଁ ?

କିପରି ଆସିଲା ଆହେ ଯୋଗୀ ତମ ପାଇଁ ?’’

ମୁଁ ଉତ୍ତର ଦେଲି–

 

ଦଣ୍ଡ ଦେବା ଶକ୍ତି ଯାର ଥାଏ, ଦଣ୍ଡ ନେବ,

ଆରଦିନ ଦଣ୍ଡ ପାଇଥିଲେ, ଗୋଡ଼ ତାଙ୍କ ଭାଙ୍ଗି ଯାଇଥିଲା,

ପାଇଥିଲେ ଅଭିରାମ, କ୍ୟାନ୍‌ସର ତୀବ୍ର ଯନ୍ତ୍ରଣାରେ

ବୁଦ୍ଧଦେବ ଖାଇଥିଲେ ବାର୍‍ହା ମାଂସ

ଅତି ନିର୍ବିକାର ଭାବେ ପ୍ରିୟ ଭକ୍ତ ଠାରୁ

ଭୋଗିଥିଲେ ଅସୀମ ଯନ୍ତ୍ରଣା ।

 

ଯୀଶୁଖ୍ରୀଷ୍ଟ କ୍ରୁଶବିଦ୍ଧ ଯନ୍ତ୍ରଣା ଭୋଗିଲେ,

ବିଷପାନ ତୀବ୍ରଜ୍ୱାଳା ପାଇଥିଲେ ସକ୍ରେଟିସ

ଅନ୍ଧ ହେଲେ ମିଲଟନ୍‌ ଓ ଭୀମ ଭୋଇ

ମହାତ୍ମା ଗୁଳିରେ ମଲେ

କୃଷ୍ଣ ପାଦ ରକ୍ତମୟ ହେଲା ବ୍ୟାଧର ତୀକ୍ଷ୍‌ଣ ଧନୁଶରେ ।

 

ଠିକ୍‌ ଅବା ସେହିପରି ମୋର ଏହି ଅନ୍ଧାବସ୍ଥା

ତୁମେ ପୁଣି ଧରିପାର ଏକ ଦଣ୍ଡ ବୋଲି ।

ଏହାପରେ ସେ ହେଲେ ନୀରବ ।

ନୀରବ ଭିତରେ ଆହା ଅସୀମ ଅନ୍ଧାରର ଉତ୍ତର ବି

ହାଏ ନିରୁତ୍ତର ଥିଲା ।

☆☆☆

 

।। ଅଣଚାଶ ।।

 

ତୁମେ କେଉଁଠୁ ଆସିଛ ତୁମେ ଜାଣି ନାହଁ,

ତୁମେ ଯଦି ବୃଦ୍ଧ ହେଇଯିବଣି , ଭାବିନିଅ,

ତୁମ ସେଇ ପିଲାଦିନର ଗୁଲଗୁଲିଆ ଚେହେରାକୁ ତୁମେ କ’ଣ ଫେରିପାଇବ ?

ତୁମେ ଯଦି ବୃଦ୍ଧ ହେବଣି, ଭାବିନିଅ ,

ତୁମେ ସେଇ ଉଦାମ ଓ ତରୁଣ ଚେହେରାକୁ ଫେରିପାଇବ ?

ତୁମେ ଯଦି ତରୁଣ ହୋଇଥିବ,

କୌତୁକପ୍ରଦ ବାଲ୍ୟାବସ୍ଥାକୁ ଫେରି ଯାଇପାରିବ ?

ମରଣ ପାଖକୁ ଫେରିଯିବା ସହଜ,

ଜନମ ପାଖକୁ ଫେରିବାର ପ୍ରଶ୍ନ ଉଠୁନାହିଁ ।

 

ପ୍ରାରବ୍‌ଧ ପାଖକୁ ଫେରିଯିବାର ପ୍ରଶ୍ନ ଉଠୁନାହିଁ କର୍ମ

ଭୋକ ପାଖକୁ ଖାଦ୍ୟ ଫେରିପାରେ,

ଖାଦ୍ୟ ପାଖକୁ ବ୍ରହ୍ମ ଆଉ ଫେରି ଯାଇପାରିବ ନାହିଁ,

ରକ୍ତ ଫେରିପାରେ ନାଡ଼ାକୁ,

ନାଡ଼ି ଭିତରକୁ ବାୟୁ ଯଦି ନ ଫେରିବ

ଅନ୍ଧକାରଟିଏ ଆସି ଠିଆହେଇ ପଡ଼ିବ

ଆଖି ସାମ୍ନାରେ ମୃତ୍ୟୁର ରଙ୍ଗ ନେଇ,

ମୁଁ କାହା ପାଖକୁ ଆସିଛି ଜାଣିଛ ?

ଅନ୍ଧକାର ପାଖକୁ

ଯା’ର ଅନ୍ୟନାମ ମୃତ୍ୟୁବୋଲି ସର୍ବେ ଜାଣିଥିଲେ ।

 

ମୃତ୍ୟୁ କେଡ଼େ ସୁନ୍ଦର ତୁମେ ଅନ୍ଧ ହେଲେ ଅନୁଭବ କରିପାରିବ,

ମୃତ୍ୟୁର ଚେହେରା ବୀଭତ୍ସ ନୁହେଁ, ସେ କାହାକୁ ଠକେନା,

ଜୀବନ ଠକିଦେଲେ ଧରାପଡ଼ିଯାଏ ମୃତ୍ୟୁ ପାଖରେ ତୁମେ ସେମିତି

ସମସ୍ତ ପୁରୁଷଗୁଡ଼ାକ ଧରାପଡ଼ି ଯାଇଚ ଏଇ ଅନ୍ଧଡ଼ୋଳା ଅନ୍ଧାର ଭିତରେ,

ମୁଁ ଭାବୁଛି ମୁଁ ଅନ୍ଧ, ତୁମେ ଅନ୍ଧ,

ବିନା ଚେତନାରେ ଚିନ୍ତା ଭେଟୁଛି ପ୍ରଜ୍ଞାକୁ ,

ଘୋର ଅନ୍ଧକାରରେ ଛୋଟ ଡିବିରି

ଯେପରି ଭେଟେ ଅନ୍ଧାରଘର କୋଣକୁ । ଠଣାକୁ ଭେଟେ ଦୀପଶିଖା,

ରୁଖାକୁ ଭେଟେ ଛୋଟ ପିମ୍ପୁଡ଼ିର ଆଖି ।

ସେମିତି ମୋ’ ଏଇ ଅନ୍ଧଡ଼ୋଳା ଭେଟିଛି ପୃଥିବୀ ।

☆☆☆

 

।। ପଚାଶ ।।

 

ଆଖିବାଟେ ଜୀବନ ଯାଏ ବୋଲି କହନ୍ତି ସମସ୍ତେ

ହଠାତ୍‍ ଜୀବନ ଚାଲିଗଲେ ଦଶମିନିଟ୍‌ ଭିତରେ

ଡୋଳାକୁ କାଢ଼ି ଦାନ କରିବା ପାଇଁ

ଆତ୍ମୀୟ ସ୍ୱଜନମାନେ ଛାଡ଼ନ୍ତନି ଶବକୁ ।

 

ଦୁର୍ଲଭ ଆଖି, ପଶୁରୁ କୀଟ ପତଙ୍ଗ ଦେଇ ମଣିଷକୁ ଦେଇଛ ତୁମେ–

ଦିବ୍ୟ ଚକ୍ଷୁଦାନ

ଚକ୍ଷୁଦାନ ପୁରୋହିତ କରେ ମୃଣ୍ମୟ ମୂର୍ତ୍ତିକୁ

ମୁଁ ସେମିତି ଚକ୍ଷୁଦାନ କରିଛି ଈଶ୍ୱର ତମକୁ,

ତମେ ଅନ୍ଧ ହେଇଯାଇଛ,

ଅନ୍ଧକାର ଭିତରେ ତମର ଯଦି ଆଖିଥା’ନ୍ତା

ଏ ଶୋଷଣ, କଷଣ, ଦୁର୍ନୀତି ଓ ଅନୀତି ଚାଲନ୍ତା କିପରି ?

ତେଣୁ ଆଜି ମୋର ଦୁଇଡ଼ୋଳା ଦାନ କରେ ପ୍ରଭୁ

ବନ୍ଦ ହେଉ ପୃଥିବୀରୁ ଶୋଷଣ ଯାତନା,

ସମସ୍ତଙ୍କୁ ଆନନ୍ଦରେ ରଖ,

ଏତିକି ମୋ କାମନା ।

☆☆☆

 

।। ଏକାବନ ।।

 

ସୂର୍ଯ୍ୟ ବି ଅନ୍ଧ ହୋଇଯାଏ ସାମୟିକ ଭାବେ;

ପାହାଡ଼ ସେପଟେ ବୁଡ଼ିଗଲେ ସୂର୍ଯ୍ୟ

ଜହ୍ନ ବି ଅନ୍ଧ ହୁଏ ଉଇଁଲେ ସୂରୁଜ

ତାରାମାନେ ଅନ୍ଧ ହୁଅନ୍ତି,

ସକାଳର ମେଘ ଫୁଟେଇଦିଏ ଅଗଣିତ ତାରକାର ଆଖି,

ଗ୍ରହମାନେ ବି ଲୁଚି ଯାଆନ୍ତି କିନ୍ତୁ

ଅନ୍ଧକାର ଭିତରେ ଗ୍ରହ, ତାରା , ନିହାରୀକା ସମସ୍ତେ ଦେଖନ୍ତି ନିଜ ନିଜ ମୁହଁ ।

 

ମୁଁ ସେମିତି ସାମୟିକ ଅନ୍ଧ ହେଲି, ଦେଖିବାକୁ ଅନ୍ଧକାର ଭିତରେ

କେମିତି ଚାଲିଛନ୍ତି ଗ୍ରହ, ତାରା, ଅନ୍ତରୀକ୍ଷ, ବିଶ୍ୱବ୍ରହ୍ମାଣ୍ଡ ?

ମୋର ଦୁଇ ଡୋଳାକୁ ତୁମେ ଖୋଲିଦିଅ

ଦେଖିବ ହେ ଅନ୍ଧମାନେ କେମିତି ଦିଶୁଛ ?

ତୁମ ଲୁହର ସମୁଦ୍ରରେ ବେଦନାର ପାଲ

ତା’ଉପରେ ନିଃଶ୍ୱାସ ପବନ ନେଉଛି ଚଳାଇ

ଜୀବନର ଡଙ୍ଗା, ସେଇ ଦିଗକୁ ମତେ ନେଇଯାଅ

ମୁଁ ତୁମକୁ ଉପହାର ଦେବି ରେ ସକାଳ ଏକ ପଦ୍ମଫୁଲ,

ମୁଁ ତୁମକୁ ଉପହାର ଦେବିରେ ଜହ୍ନ

ଏକ କଇଁର ପାଖୁଡ଼ା ।

 

ପରାଗକୁ ବୋଳିଦେବି ଆକାଶରେ ଚହଟିବ ବାସ୍ନା,

ମୁଁ ତୁମକୁ ଦେବି ଏକ ଅମୃତମୟ ପୃଥିବୀଟିଏ

ଯା’ର ଭିତରେ ମୋର କବିତାର ଅକ୍ଷରଗୁଡ଼ିକ

ଆଖି ହୋଇ ଖଞ୍ଜି ହୋଇଯିବ,

ତୁମେରେ ଅନ୍ଧ, ଅନ୍ଧକାର

ପଢ଼ିବ, ଦିବସର ପ୍ରାର୍ଥନାକୁ ।

☆☆☆

 

।। ବାଉନ ।।

 

କରୁଣର ରଙ୍ଗ କ’ଣ ?

ଅନ୍ଧାର,

କରୁଣାର ରଙ୍ଗ କ’ଣ ?

ଆଲୁଅ ।

କରୁଣା କରୁଣକୁ ପେଲି ଦେଇଛି

ଅର୍ଥାତ୍‌ ଆଲୁଅ ଅନ୍ଧାରକୁ ପେଲି ଦେଇଛି

ଧକ୍‌କା ହୋଇ ପଡ଼ି ଯାଇଛନ୍ତି ମୋ ଡୋଳା ଭିତରେ ।

 

ମୁଁ ତା’କୁ ମୋ ଲୁହ ପାପୁଲିରେ

ଉଠାଇବାକୁ ଯାଇ ଦେଖିଲି

ଈଶ୍ୱରଙ୍କର ଚେତା ବୁଡ଼ି ଯାଇଛି

ମୋ ଲୁହର ପାଣି ଛିଞ୍ଚି

ତା’କୁ ଚେତା କରି ପାରୁନି ।।

☆☆☆

 

।। ତେପନ ।।

 

ଅନ୍ଧକାରର ବନ୍ୟାରେ ଡୁବୁଛି ମୁଁ

ଆକ୍‌ତା ହୋଇଯାଇଛି ମୋର

ଆଖି ପତାର ଲୁହ ।

ହଠାତ୍‌ ଦେଖୁଛି ସ୍ୱପ୍ନର ଆଲୋକ

ଦୁଃସ୍ୱପ୍ନରେ ଅନ୍ଧାରର ଦୁଃଖ,

ଦୁଃଖର ଶବକୁ ବାହି

ଶୋକର କୋକେଇରେ

କୋହର ମାଲଭାଇମାନେ

ଚାଲିଛନ୍ତି କେଉଁ ମଶାଣୀକୁ ?

ଅନ୍ଧକାରର ନୀରବ ଉତ୍ତର–

ମୁଁ ତୋ’ ପାଇଁ ଅଙ୍ଗାର ହୋଇ ଯାଇଛିରେ

ପ୍ରସନ୍ନ !

☆☆☆

 

।। ଚଉବନ ।।

 

ମାନସୀ ମୋର ! ତୋ’ର ରଡ଼ନିଆଁ ଆଖି

ହୃଦୟ ଚୁଲ୍ଲୀରେ ମୋର ଯାଇଅଛି ଲାଖି

ଦୁଃଖର ପାଉଁଶ ଭିତରୁ ମୁଁ ଅଣ୍ଡାଳୁଛି ସୁଖକୁ

ଜୀବନ ଚୁଲୀ ଝିଙ୍କାରେ ତୋ’ ଦେହଟା ତ ଗରମ ଡେକ୍‌ଚି

ତା’ର ତଳେ ଜ୍ୱଳନର କଳା

ଜ୍ୱଳନର କଳା ଆଣି ବୁଣିଦେଲା

ରାତିର କବରୀରେ ସ୍ୱପ୍ନର ତାରା ।

 

ସେଥିରୁ ଦୁଇଟି ତାରା

ଖଞ୍ଜି ହୋଇଗଲେ ମୋର ଆଖିରେ

ମୁଁ ଅନାଉଛି ତାରାର ଆକାଶରେ

ତିମିରଟା ଶୋଇଯାଇଛି ।

ମୋ ପାଇଁ ଉଠିବାକୁ ବହୁ ବେଳ ବାକି ଅଛି ।।

☆☆☆

 

।। ପଞ୍ଚାବନ ।।

 

ଆଖି ଥିଲାବେଳେ ତୋତେ

କେତେ ଭଲ ପାଉଥିଲିରେ ଆଲୋକ !

ଅନ୍ଧ ହେବା ପରେ ଟିକେ

ତୋତେ ଦେଖି ପାରୁନାହିଁ... !

ଅନ୍ଧକାର ମୋତେ ନିବିଡ଼ରେ

ପାଏ ଆଜି ଭଲ

ତା’ର ଆଲିଙ୍ଗନ ମୋର ଗଳାରେ ଫୁଲ

କେବେ କେବେ ସାପଟିଏ ହୋଇ ମୋର

ଦୁଇ ଆଖିର ଶିବଲିଙ୍ଗକୁ ଚୁଚୁମୁଛି

ଚିରକାଳ ।

ରେ ଆଲୋକ ! ତୁ ମୋ ପାଇଁ

ପାଲଟିକୁ ଶେଷେ ବିଷ ହଳାହଳ !

☆☆☆

 

।। ଛପନ ।।

 

ସୂର୍ଯ୍ୟଟାକୁ କେତେଦିନ ବୁକୁରେ

ପୋତି ରଖିବ ଅନ୍ଧକାର,

କେତେଦିନ ପୋତି ରଖିବ କଇଁକୁ ?

କେତେଦିନ ମେଘର ପଙ୍କରେ

ପୋତି ରଖିହେବ ତାରାକୁ ? ଜହ୍ନକୁ ?

କରୁଣ ଲୁହର ରସ ତଳେ ତଳେ ସେମାନଙ୍କୁ

ଅର୍ଥାତ୍‌ ଅନ୍ୟକଥାରେ

ସମସ୍ତ କ୍ଷେତ ଭିତରେ

ଅନ୍ଧକାରେ ପୋତି ହୋଇ ରହିବାକୁ

କେହି ଚାହେଁ ନାହିଁ–ଚାହିଁବ ନାହିଁ ।

 

ଚାହେଁନା ପ୍ରକୃତି ନୀର ହୋଇ ଝରିବାକୁ

ସମୁଦ୍ର ଡୋଳାରେ

କିନ୍ତୁ

 

ମୋ’ ଆଖିରେ ସେ ସମୁଦ୍ରକୁ

ପୋତି ଦେଇ ପାରିଛି,

ମାତ୍ର ପାରିନାଇଁ ଈଶ୍ୱରଙ୍କୁ

ମୋ ହୃଦୟର

ନିବୁଜ ଗୁମ୍ଫାରୁ ମୁକ୍ତ କରି !

☆☆☆

 

।। ସତାବନ ।।

 

ମାନବରୁ ମାନବିକତା, ଆଲୋକରୁ ଅନ୍ଧାର ଭଳି

ଦାରୁଣ ଦୂରତାକୁ ଆଖିଥିବା ଲୋକ ମାପି ପାରେ ।

ଆଖିଥିବା ଲୋକର ଆଗରେ ସବୁ ସମାନ

ଯୁଆଡ଼େ ଆଖି ପାଏ ସିଆଡ଼େ ଆଲୋକ

ଅନ୍ଧକାର କେବଳ ଶୋଇଲେ ଆସେ

ନିଦ ଲାଗିଲେ ସ୍ୱପ୍ନ ଦେଖେ

ଅନ୍ଧକାରକୁ ଆଖିବୁଜି ଅନୁଭବ କରି ହୁଏ ନାହିଁ

ଅନ୍ଧ ନୟନରେ !

ଈଶ୍ୱରଙ୍କର ଅଭିବ୍ୟକ୍ତି :

ତୋତେ ମୁଁ ଅନ୍ଧକାର ଦେଲି

ଅନୁଭବ କର ଅନ୍ଧକବି !

 

ତୋ’ର କବିତାରେ ରୂପାୟିତ ହେଉ

ଚେତନାର ଅନ୍ଧାର, ମାନେ ଚେତନା ତ ଆଲୋକ !

ଚିନ୍ତା ଭିତରେ ନିଦ୍ରାଯାଇଥିବା ଚେତନାଟି

ମୋତେ କାଲି ଉଠାଇ କହିଲା :

ଆଲୋକକୁ ଦେଖିଥିଲୁ

ଭେଟିଲୁ ଏବେ ଅନ୍ଧକାରକୁ

କେଉଁଟି ଭଲ ?

ମୋର ସରଳ ଉତ୍ତର ଥିଲା :

ମୋ ପାଇଁ ଭଲ ହେଉଛି ଜ୍ଞାନ !

ମୁଁ ଏଯାଏ ଚିହ୍ନିପାରି ନଥିଲି ଜ୍ଞାନକୁ

ଅନ୍ଧ ହେଲାପରେ ନିବିଡ଼ ଭାବେ ଚିହ୍ନିଲି

ଚିନ୍ତାକୁ, ଚେତନାକୁ ଏବଂ ଜ୍ଞାନକୁ ।

☆☆☆

 

।। ଅଠାବନ ।।

 

ସମଗ୍ର ପୃଥିବୀ ଘୋଟିଛି ଅନ୍ଧାର

ଆଖିଥିବା ମଣିଷମାନେ ଚାହୁଁ ନାହାନ୍ତି ମୋତେ

ମୁଁ ଦେଖୁଛି ସେମାନେ ଅନ୍ଧ ।

ଅନ୍ଧାରର ଡୋଳା ଦେଇ ଏକ ଛାୟାପଥ

ସାପ ଭଳି ଗୁରେଇ ରହିଛି ବିଶ୍ୱ

ନାଡ଼ଭଳି ରହିଛି ନଦୀ ଦେହ-ଗଛର ଗଣ୍ଡିରେ

ମୁକୁଳିତ ଡାଳପତ୍ର ଫୁଲରେ

ପୃଥିବୀର ସମସ୍ତ ମଣିଷର ନିଃଶ୍ୱାସ ।

 

ପକ୍ଷୀର କାକଳୀରେ ଦୋହଲି ଉଠୁଛି

ସବୁଜ ଗଛର ପତ୍ର

ଶୀର୍ଷରେ ଚଢ଼ି ମୁଁ ଦେଖୁଛି ଅନ୍ଧକାରର ପ୍ଳାବନକୁ

ମୁଁ କୁଣ୍ଢେଇ ଧରିଲି ବ୍ରହ୍ମାଣ୍ଡର ଆଖିକୁ

ସେ ଆଖି ଭିତରେ ଈଶ୍ୱରଙ୍କ ବ୍ରହ୍ମ

ଲେଞ୍ଜରା ହୋଇ ଲାଗିଛି

ତମେ ତା’କୁ ପୋଛି ପାରୁନାହଁ

ଅଳସୁଆ ମଣିଷଗୁଡ଼ାକ

ସକାଳ ହେଲାଣି ଉଠ !

ମୁଁ ଯଦି ଜ୍ଞାନର ଅନ୍ଧଟିଏ

ତମେ ସବୁ ପୃଥିବୀର ଜନ୍ମାନ୍ଧ ପୁରୁଷ !

 

ଦେଖି ପାରୁନାହଁ ସୂର୍ଯ୍ୟକୁ

ପଢି ପାରୁନାହଁ ଅନ୍ଧାରର ଅକ୍ଷରକୁ ।

ପାପର ସିଲଟରେ ପୂଣ୍ୟର ଖଡ଼ିକୁ ଗାରେଇ ଗାରେଇ

ମୁର୍ଖ କବିଟିଏ ମୁଁ ପଢ଼ୁଛି ଜୀବନ-ବ୍ରହ୍ମର ପାଠ

ଜଗନ୍ନାଥର ନାଭି–ଗୁମ୍ଫା ଭିତରେ

କରୁଛି ଭକ୍ତିର ତପସ୍ୟା

ଜଗନ୍ନାଥ ମୋର ଦୁଇଡ଼ୋଳା !!

 

ବ୍ରହ୍ମାଣ୍ଡର ରଥଚକ୍ର ତଳେ ସବୁ ଅଜ୍ଞାନ, ଅନ୍ଧକାର

ପେଶି ହୋଇ ଚାଲିଛନ୍ତି କେଉଁଆଡ଼େ ଜାଣ ?

ମୋର ପ୍ରେମିକାର ମହୋଦଧି ଆଡ଼େ ।

ଭାସି ଆସୁଥିବା ସକାଳର ନାଭିକମଳ

ଯାହାକୁ ପୋଡ଼ି ପାରିଲା ନାହିଁ ନିଆଁ

ଭାଙ୍ଗି ପାରିଲା ନାହିଁ କଳାପାହାଡ଼

ତା’ ଭିତରେ ପାଇଲି ମୁଁ ମୋର ଘୁମନ୍ତ ପୃଥିବୀ–

ତାହା ମୋର ଡୋଳା ।।

☆☆☆

 

।। ଅଣଷଠି ।।

 

ସମ୍ପଦ ଓ ପ୍ରାଚୁର୍ଯ୍ୟ ଥିବା ଲୋକମାନେ ଯଦି ଧନ୍ୟ

ପୃଥିବୀର ସକଳ ଧନୀମାନେ ପଇସା ବଳରେ

ଅମର ହୋଇ ଯାଆନ୍ତେ

ଯମ ତାଙ୍କୁ ରୋଗରେ ଘାଣ୍ଟି ଘାଣ୍ଟି ମାରି ପାରନ୍ତା ନାଇଁ !

କିନ୍ତୁ ମୁଁ ଦେଖୁଛି ପୃଥିବୀର ସମସ୍ତ ଧନୀମାନେ ରୋଗୀ !!

 

ସେମାନେ ଶୋଇ ପାରୁ ନାହାନ୍ତି ଧନର ଚିନ୍ତାରେ

ଚୋର ଭୟ ଓ ମୁକ୍ତିକାମୀ ମଣିଷର ‘ସନ୍ତ୍ରାସ’ ଭୟରେ ।

ପୃଥିବୀର ସକଳ ଗରିବମାନେ ଦୁଃଖୀ

ସେମାନେ ଶୋଇ ପାରୁନାହାନ୍ତି ଭୋକର ଚିନ୍ତାରେ ।

 

ମୁଁ ଶୋଇଛି ଅସୀମ ଅନ୍ଧକାର ଭିତରେ

ଚୋରିଯାଇଛି ମୋର ଦୁଇ ଡୋଳା

ମୁଁ ଅଣ୍ଡାଳି ଅଣ୍ଡାଳି ଖୋଜୁଛି

ଖୋଜୁ ଖୋଜୁ ତ ଝୁଣ୍ଟି ପଡ଼ିଲି

ଅଙ୍ଗୁଳି ରକ୍ତରେ ବହିଗଲା ନଦୀ

ଅନ୍ଧକାରର ହାସ୍‌ପାତାଳକୁ ଗଲାବେଳେ

ଦେଖିଲି ଚିକିତ୍ସା ଯନ୍ତ୍ରଣାରେ ଚଟପଟ

ମୁଁ ଡାକିଲି ଧଳାଜାମା ପିନ୍ଧା ଜହ୍ନର ଡାକ୍ତରକୁ

ସେ କିନ୍ତୁ ତୋଳାଇଥିଲା କଇଁର ଜଙ୍ଘରେ ।

 

ଠେକୁଆଟିଏ ଆସି ପୋଛିଦେଲା ଲୁହ ଆଉ ଲହୁ

ଡାକ୍ତରଟା ପାଲଟିଲା ଯମ

ତା’ କଳା ଚଷମାର ଉହାଡ଼ରେ ଦେଖିଲି

ସେ ପିନ୍ଧି ପକାଇଛି ମୋର ଦୁଇ ଆଖି !

ମୁଁ ଆଉ କାହାକୁ ମାଗିବି ?

କିଏବା ଫେରାଇଦେବ ମୋର ରକ୍ତଡ଼ୋଳା !

ଶୂନ୍ୟରୁ ଶୁଭିଲା ଶବ୍ଦର ଝଡ଼–

ମହାକାଳ ଲେଉଟାଏ କର–

ତୁ ଦୁଃଖ କରନା ପ୍ରସନ୍ନ !

ସମସ୍ତ ଦୁଃଖୀମାନେ ତୋହର ଦୁଃଖରେ ଦୁଃଖୀ

ସମସ୍ତ ସୁଖୀମାନେ ଈର୍ଷାର ଘୁଙ୍ଘୁଡ଼ିରେ ।।

 

ଦୁଇବାହୁ ତୋଳିଦେଲି ଯନ୍ତ୍ରଣାରେ, ମହାବାହୁ ଉଦ୍ଦେଶ୍ୟରେ

ଧର୍ମ ଡୋଳା ହୋଇ କସି ପଡ଼ିଲା ମୋ’ ପାପୁଲିରେ

ମୁଁ ତା’କୁ ମୁଠାଇ ଧରିଛି, କାହାକୁ ଦେନ କରିବି ।

ଭାବିଲି ପୃଥିବୀର ସମସ୍ତ ଅନ୍ଧମାନଙ୍କୁ !!

☆☆☆

 

।। ଷାଠିଏ ।।

 

କୁଆ ଥଣ୍ଟରୁ ବରଫଳ ଖସିପଡ଼ିଲା ଭଳି

ସୂର୍ଯ୍ୟଟା ଚଳିଗଲା ପାହାଡ଼ ଭିତରେ

ମୋର ଦୁଇଡ଼ୋଳା ସେଇମିତି ଖସି ପଡ଼ିଥିଲା

ନିଶୂନ୍‌ ଅନ୍ଧକାରର ଗାତ ଭିତରେ ।

 

ଅନ୍ଧକାରକୁ ମୋର ପ୍ରଶ୍ନ :

ମୋ’ ଡୋଳା ମୋତେ ଫେରାଇ ଦେ’

ରଖିଛୁ କେଉଁଠି ?

ଅନ୍ଧକାରର ଉତ୍ତର :

ଲୁହର ଫ୍ରିଜ୍‌ରେ ସାଇତି ରଖିଛି ତୋ’ର ଡୋଳା

ତୁ ଡରୁଛୁ କାହିଁକି ? ତୋ’ର ଦୁଇ ଡୋଳା ପିନ୍ଧି

ଜଗତକୁ ପାଉଅଛି ଭଲ

ମୁଁ ତ ଅସୀମ ଅନ୍ଧକାର

ତୁ ମୋତେ ଅନ୍ଧ କରନାଇଁରେ ପ୍ରସନ୍ନ !

 

ନିବିଡ଼ ଆବେଗରେ ମୁଁ ଜାବୋଡ଼ି ଧରିଲି

ଅନ୍ଧକାରକୁ । ତା’ର ଚୁମ୍ୱନ ହେଲା

ମୋର ପୃଥିବୀ ଯାହା ଆବର୍ତ୍ତିତ

ମୋର ଦେହର ବ୍ରହ୍ମାଣ୍ଡ ଚାରିପାଖେ

ଲୁହର ସମୁଦ୍ର ଉପରେ ତା’ର

ଛାଇକୁ ଦେଖୁଛି ସମୟର ଦୁଃଖ

କେତେବେଳେ ଦେଖିବ କେଜାଣି,

କିଏ ଜାଣେ ???

☆☆☆

 

।। ଏକଷଠି ।।

 

ହଠାତ୍‌ ଦେଖିଲି ମୋର ଦୁଇ ଆଖି

ପାଳଟି ଯାଇଛି ଆଗ୍ନେୟଗିରିର ଗର୍ତ୍ତ

ବିଷାଦର ଉଦ୍‌ଗିରୀତ ଲାଭାମାନେ ବାହାରି

ଅନ୍ଧକାରର ଧୂଆଁରେ ଘୋଟିଛନ୍ତି

ସମଗ୍ର ବ୍ରହ୍ମାଣ୍ଡ । ଗୋଟେ ହାତ ଆକାଶରେ

ଆଉ ଗୋଟେ ହାତ ମୋର ସମୁଦ୍ରରେ

ମଥାଟା ମୋର ଅନ୍ତରୀକ୍ଷ

ବୁକୁ ହିମାଳୟ

ଦୁଇପାଦ-ପ୍ରାଚ୍ୟ ଓ ପାଶ୍ଚାତ୍ୟ

ଲୁହ ସବୁ ଗଙ୍ଗା ଓ ଯମୁନାର ଜଳ

ଏବଂ ମୋ ସୁଷୁମ୍ନା ଭିତରେ

ଭାସୁଛି ଯମର ଶବ

ଇଡ଼ା ଓ ପିଙ୍ଗଳାରେ

ରାମାୟଣ, ମହାଭାରତର

ସୀତା ଓ ଦ୍ରୌପଦୀ ନିଃଶ୍ୱାସ ।

 

କୁଣ୍ଡଳିନୀରେ ଶୋଇଛି କୃଷ୍ଣ

ମୁଁ ମୂଳାଧାରର ତୀରକୁ

ତା’ର ରକ୍ତପାଦରୁ କାଢ଼ୁ କାଢ଼ୁ ଦେଖିଲି

ସାରା ପୃଥିବୀଟା ବ୍ରହ୍ମମୟ,

ସେଇ ବ୍ରହ୍ମମୟତା ଭିତରେ

କରୁଣ ପିଣ୍ଡର ରାତି ।

ତା’ଭିତରେ ପୋତି ହୋଇ ରହିଥିବା

ମୋର ଆଖିକୁ ଜଗନ୍ନାଥ

କେବେ ପଢ଼େଇବେ କେଜାଣି !!!

☆☆☆

 

।। ବାଆଷଠି ।।

 

ମୁଁ ଜାଣିପାରୁନି କେତେବେଳେ ହେଉଛି ସକାଳ

କେବେ ବା ହେଉଛି ସନ୍ଧ୍ୟା, କେତେବେଳେ ଫୁଟୁଅଛି ଫୁଲ

କେବେ ଉଡ଼େ ପ୍ରଜାପତି ମାନେନାଇଁ ପବନର ବୋଲ ।

ମୁଁ ଜାଣୁନି କେତେବେଳେ ନଦୀ ହୁଏ ଆତ୍ମହରା ପାହାଡ଼ ବୁକୁରେ

ମୁଁ ଜାଣୁନି ତମେ କେବେ ଚୁମା ଦିଅ ମୋ ଗାଲର ଭଙ୍ଗା ପାଛିଆରେ ।

 

ମୋ ପାଇଁ ଋତୁ ସମାନ

ବସନ୍ତ କଣ୍ଠରେ କୋକିଳ

ସକାଳ କଣ୍ଠରେ କୁକୁଡ଼ାର କୋହ ସବୁ ଏକାକାର ।

ଦେଉଳରେ ମଙ୍ଗଳ ଆରତୀର ଘଣ୍ଟା ଶବ୍ଦ

ଲୁହ ମୋର ଘିଅ ହୋଇ ଜାଳୁଛି ଦୀପାଳୀ ଈଶ୍ୱରର ।

 

ସଳିତା ତେଜୁଛି କିଏ ?

ସମୟର ସଳିତାରେ ଜଳିଯାଉଛି ଦିନ ଦିନାନ୍ତର

ପାପ ପୁଣ୍ୟର ସୁଅରେ ଭାସୁଛି ମହାକାଳ

କୁଆଡ଼େ ଚାଲିଛନ୍ତି ସମସ୍ତେ ଜଣା ନାହିଁ

ଅନ୍ଧାର ଚାଲିଛି ଅନ୍ଧାର ଭିତରେ

ଆଲୁଅର ଆଖି ତ ଯାଇଛି ଫୁଟି

ମୁଁ ତା’କୁ ଦେଲି ବଢ଼ାଇ ହାଡ଼ର କଢ଼ଟିଏ

ବୁକୁର ବଗିଚାରୁ ତୋଳି ।

 

ରାତିରେ ଗୁମ୍ଫା ଭିତରେ ଧ୍ୟାନମଗ୍ନ ହୋଇ ଦେଖିଲି

ମୁଁ ଗୋଟାଏ ନିପଟ ବୋକା–

ସାରା ପୃଥିବୀ ଚତୁର ଥିଲାବେଳେ ।

ମୋ’ଆଖିକୁ ପିନ୍ଧି ତମେ ପଢ଼ୁଛ ଆଲୋକ !

ମହାକାଳର ଭୂଗୋଳ !

ଇତିହାସ ରକ୍ତମୟ, ରକ୍ତମୟ ସାରା କୁରୁକ୍ଷେତ୍ର

ଭାବୁଛି ମୁଁ ଫୁଙ୍କିବାକୁ ପ୍ରିୟତମା ସ୍ତନର ଶଙ୍ଖ ଦୁଇକୁ

ସନ୍ତାନଟିଏ ହୋଇ ଚୁଚୁମିବାକୁ ତା’ର ଦେହର ବୋତଲ ।

 

ଦିବସର କ୍ଷୀରରେ ଗାଧୋଇ

ତମକୁ ତୋଳିଦେବି ଭକ୍ତିର ନୀରଟିଏ ପ୍ରଭୁ !

ମୋର ଆଖିକୁ ନେଇ ଯଦି

ସମୃଦ୍ଧ ହେବ ସମଗ୍ର ବସୁନ୍ଧରା

ମୁଁ ଅନ୍ଧକାରର ସଂସ୍କୃତି ଭିତରେ

ଡୁବାଇ ଦେବାକୁ ଚାହେଁ ମୋ’ ଚେହେରା ।।

☆☆☆

 

।। ତେଷଠି ।।

 

ପଚାରିଲି ରାତିର ବଗିଚାକୁ :

ପବନ ଗନ୍ଧେ ଫୁଟେଇ ତାରାର ଫୁଲକୁ

କେତେଦିନ ମତୁଆଲା ହେବୁ ?

ପାଗଳ ସୂର୍ଯ୍ୟଟା ତୋ’ର କପାଳକୁ ପୋଛି

ଲୁହର ନଦୀକୁ ଦେଇଛି ଶୁଖାଇ

ସମୁଦ୍ରକୁ ଦେଇଛି ଉଝାଳି

ଜୀବନ ଡଙ୍ଗାରୁ ମୋର ପାଲକୁ ନେଇଛି ଛଡ଼ାଇ

ଝଡ଼ ଭଳି ଫୁଟିଯାଇଛି ଡେଣାରେ ମୋର

ଇଞ୍ଜେକ୍‌ସନ୍‌ର ପ୍ରଳୟ

ମୋତେ ଯଦି ଭଲ ପାଉ

କେଉଁଠି ରଖିବୁ ମୋର ଆଖିକୁ ଲୁଚେଇ ?

ତୋ’ ପଣତ ଗଣ୍ଠିରେ ମୁଁ ରାଣ ହୋଇ ରହିନି ତ ?

 

ହଁ ଯଦି କହୁ ତେବେ ମୋର ଦେହଟା ନ ନେଇ

ଆଖିଟାକୁ କାହିଁକି ଯେ ନେଲୁ?

ଅନ୍ଧକାର !

ମୁଁ ଦେଖି ପାରୁନି ମୋର ପ୍ରିୟତମା ମୁହଁ ।

 

ଉତ୍ତର ମିଳିଲା :

ମୁଁ ତୋ’ର ପ୍ରିୟତମା ଅନ୍ଧୁଣୀ ,

ଆମକୁ ସହିଲାନି ସୂର୍ଯ୍ୟର ଆଲୋକ

ପୋଡ଼ିଗଲା ତୋ’ର ମୁହଁ

ଶୁଖାଇ ଦେଲା ମୋ ନଦୀର ଜଳ ।

 

ସେ ଶୁଖିଲା ନଦୀ କିନ୍ତୁ ଭରିଗଲା ମୋ ଆଖି ଲୁହରେ

ତୁ ଭାସିବୁ ନାହିଁ–ମୁଁ କୁଣ୍ଢେଇ ଧରିଛି ତୋ’ର ଦେହ

ସଞ୍ଜର ଜୁଈ ତୋତେ ପୋଡ଼ି ତ ପାରିଲା ନାହିଁ

ଲିଭିଗଲା ଆପେ ଆପେ ।

 

ତୋ’ର ସମସ୍ତ ଶରୀରର ହାଡ଼

ହୋଇଯାଇଛି ଜଙ୍ଗଲର କାଠ

ତୋ’ରି ଅସ୍ଥିରେ ବଢ଼ୁଛି ଗଙ୍ଗା

ତୁ ଲମ୍ୱିଯାଇଛୁ–ତୁ ନର୍ମଦା । ତୁ ଯମୁନା ।

 

ତୋ’ ଆଖିରେ ଭାରତବର୍ଷକୁ ତାଡ଼ିବା ପାଇଁ

କି ଚକ୍ରାନ୍ତ ସତରେ !

ଚକ୍ରାନ୍ତର ସେଇ କରୁଣ ଚେହେରାକୁ

ଦେଖିବା ପାଇଁ କେତେଦିନ ମୁଁ ଅନ୍ଧ ହୋଇ ରହିବି ?

ତା’ର ସଂକ୍ଷିପ୍ତ ଉତ୍ତର ଥିଲା,

‘କାଳରୁ କାଳାନ୍ତର’ !

ଶେଷନାହିଁ କେବେ ଚକ୍ରାନ୍ତର ଇତିହାସ ।

 

ମୋର ଆଖି ଫେରାଇ ଦେ’

ମୁଁ ଲେଖିବି ଏକ ଇତିହାସ

ଯାହାର ସିଂହାସନରେ ରାଜତ୍ୱ କରିବ

ଧର୍ମର ଏକ ମହାପୁରୁଷ–ତାହା ମୋର ଆତ୍ମା ।

ତା’ର ଦୁଇ ସୁବର୍ଣ୍ଣ ହାତରେ

ତୋଳି ଦେବ ଏକ ନୂତନ ଯୁଗ

ତାହାହିଁ ହେବ ମୋର ଆଖି ।

☆☆☆

 

।। ଚଉଷଠି ।।

 

ଦୁର୍ଘଟଣାର ଠିକ୍‌ ପୂର୍ବରୁ ଗୁଡ଼ାଏ ଲୋକ

ମୋତେ ପିନ୍ଧାଇ ଦେଇଥିଲେ କୃଷ୍ଣଚୂଡ଼ାର ମାଳା

ଶକ୍ତ ମୁଣ୍ଡିଆଟିଏ ମାରିବାର ସୁଯୋଗ ପାଇଥିଲି

ସେଦିନ ରାତିରେ–ଠାକୁର ପାଖରେ

ତା’ପରେ ଚାଲିଲି ଅନ୍ୟ ସଭା ଉଦ୍ଦେଶ୍ୟରେ

ଆଖିରେ ହଠାତ୍‌ ଏ ଦୁର୍ଘଟଣା !

 

ମାମୁଁ ଭଣଜାର ପାହାଡ଼ ପାଖରେ ଯେଉଁଠି

ଲିପିବଦ୍ଧ ଅନେକ ଦୁର୍ଘଟଣାର ଇତିହାସ

ତା’ରି ପୃଷ୍ଠାର ଚକ୍ରବ୍ୟୁହ ଭିତରେ

ଭଉଁରୀ ଭିତରେ ପତ୍ରଟିଏ ଭଳି

ଗୋଟାଏ ଘଟଣାର ଜଳନ୍ତା ଚୁଲୀକୁ

ମୋତେ ଫିଙ୍ଗିଦେଲା ଅଦୃଷ୍ଟ

ସତେ ଅବା ଗୋଟାଏ ‘ବିସୁଭିୟସ୍‌’ ଭିତରେ

ଛଟପଟ୍‌ ମୁଁ ସେବେଳେ ଜାଣିଲି ଯନ୍ତ୍ରଣାରେ

ଶିହରୀ ଉଠିଲା ବେଳେ

ଆଗ୍ନେୟଗିରିର ଉଦ୍‌ଗୀରଣ ଆଚ୍ଛନ୍ନ କରିଥିଲା

ମୋର ଆଖିର ଆକାଶ

ଭଲ୍‌କାନୋ ଭିତରୁ ଉଦ୍‌ଗୀରିତ ଲାଭାର

ଦାରୁଣ ଆଲିଙ୍ଗନରେ ଜଳିଗଲା ମୋର ମୁହଁ

ଅନ୍ଧକାରକୁ କୁଣ୍ଢେଇ–ରାତିର ଶବକୁ କାନ୍ଧେଇ

ମୁଁ ଚାଲିଲି ମଶାଣିକୁ

କା’ର ଶବ ଦାହ କରିବାକୁ ଜାଣ ?

ସେ ଶବ ଏକାନ୍ତ ବୀଭତ୍ସ ରାତ୍ରୀର ।

 

କିନ୍ତୁ ରାତିର ଚେହେରାଟା ଏତେ ଚମତ୍କାର

ଏତେ ମନୋମୟ ତା’କୁ ପୋତିଦେଲେ

ମୁଁ ବଞ୍ଚିଥାନ୍ତି କିପରି

ରାତି ଜଳିଗଲେ ମୁଁ ରହିଥାନ୍ତି କେଉଁଠି ?

ଅଙ୍ଗାର ଜଳିଲେ ଅଙ୍ଗାର

ପାଉଁଶ ଜଳିଲେ ପାଉଁଶ

ତେଣୁ ତମେ ଯନ୍ତ୍ରଣାର ବିଭୂତି ବୋଳି

ଶବଟିଏ କରି ଫିଙ୍ଗିଦେଲ ମଶାଣୀକୁ !

 

ଆଃ ସେଇ ମଶାଣୀରେ ପାର୍ବତୀ ମୋର

ତୁଳସୀର ଗଛ !!

ଈର୍ଷାର ହାଡ଼, ହିଂସାର ମାଂସ

ଲୋଭର ମାଠିଆ ଆଉ

ଅହଙ୍କାରର ମଶାଣୀରେ ଗଡ଼ି

ମୁଁ ଅନୁଭବ କଲି ସେଇ ବୃନ୍ଦାବତୀକୁ ।

 

ସମସ୍ତ ଯନ୍ତ୍ରଣା ଭିତରେ ବି ଆନନ୍ଦ ଥାଏ

ମଶାଣୀରେ ବି ତୁଳସୀ ଗଛ ପବିତ୍ର ହୋଇ ରହେ

ମୁଁ ଅନ୍ଧ ହେଲେ ବି ଜୀଇ ରହିବି ଆଲୋକ ଭିତରେ ।

 

ଆଲୋକ ! ତମେ ଆଉ ଛଳନା କରନା,

ମୁଁ ଜାଣି ପାରିଛି ଦୁନିଆଁର ପ୍ରତାରଣାକୁ

ପ୍ରତାରକ ଦେହରେ ଧୂଳି–ମଶାଣୀରେ ପାଉଁଶ–

କେବେ ବିଭୂତି ହୁଏନା

ଅନ୍ଧ ଭିକ୍ଷୁଟିଏ ମୁଁ

ପ୍ରିୟତମାର ପାଉଁଶ ବିଭୂତିରେ ତନ୍ମୟ !

ତମେ ଈଶ୍ୱର ଜୀଇ ରହ ଚିରକାଳ

ମୋ ଆଖିର ଆକାଶରେ !

☆☆☆

 

।। ପଞ୍ଚଷଠି ।।

 

ଈଶ୍ୱର ! ତମକୁ ମୁଁ ଜାଣି ନଥିଲି

ତେଣୁ ଜାଣିବା ପାଇଁ ଅନ୍ଧ ହେଲି ।

ଦେଖିଲି, ପୃଥିବୀଟା ଏକ ମାଟିର ଦିପାଳୀ ।

ତା’ ଭିତରେ ଜଳାଉଛ ଜୀବନକୁ ସଳିତା ଭଳି ।।

 

ଜୀବନ ବତୀକୁ ତେଜୁଅଛ ଅଙ୍ଗୁଳିରେ

ତୈଳାକ୍ତ ଲୁହରେ ବୁଡ଼ାଇ

ଆଖି ନଥିବା ମଣିଷଗୁଡ଼ାକ କୀଟ ଭଳି

ଝାସ ଦେଉଛନ୍ତି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ,

ମୋର ଆଖି ଖୋଲନା ମୁଁ ବଞ୍ଚିବାକୁ ଚାହେଁ

ଚିରଦିନ ତୁମେ ଅନ୍ଧାର ହୋଇଥାଅ

ମୋ ଭକ୍ତିର ଦୀପଶିଖା ତଳେ ।।

Image